
ସମଲିଙ୍ଗୀ ଯୌନ ସମ୍ପର୍କ ଅପରାଧ ନୁହେଁ
ନୂଆଦିଲ୍ଲୀ,୬।୯: ସମଲିଙ୍ଗୀ ସମ୍ପର୍କ ନେଇ ସୁପ୍ରିମ୍କୋର୍ଟ ଐତିହାସିକ ରାୟଦେଇଛନ୍ତି। ସର୍ବୋଚ୍ଚ ଅଦାଲତର ୫ ଜଣିଆ ଖଣ୍ଡପୀଠ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି ରାୟ ଦେଇଛନ୍ତି। ଏହା ଦ୍ୱାରା ପ୍ରଚଳିତ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୭ର ଉଚ୍ଛେଦ ହୋଇଛି।
କ’ଣ ଏହି ଧାରା ଆସନ୍ତୁ ଜାଣିବା – ଭାରତୀୟ ଦଣ୍ଡ ସଂହିତା(ଆଇପିସି) ଧାରା ୩୭୭ରେ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ଭାବେ ବିବେଚନା କରାଯାଉଥିଲା । ଯେ କୌଣସି ପୁରୁଷ-ପୁରୁଷ, ମହିଳା-ମହିଳା ଅବା ପ୍ରାଣୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଲେ ଏହା ଅପରାଧ ବୋଲି ବିବେଚନା କରାଯାଉଥିଲା । ଏଥିପାଇଁ ୧୦ ବର୍ଷ ଅଥବା ଆଜୀବନ ଜେଲଦଣ୍ଡର ବ୍ୟବସ୍ଥା ରହିଥିଲା । କେବଳ ସେତିକି ନୁହେଁ, ଏହି ଅପରାଧରେ ଜରିମାନାର ବ୍ୟବସ୍ଥା ମଧ୍ୟ ରହିଛି। ଏହା ଏକ ‘ନନ ବେଲେବଲ ଅଫେନ୍ସ’ ଥିଲା ଅର୍ଥାତ ଏଥିରେ ଜାମିନ ଦେବାର ବ୍ୟବସ୍ଥା ନଥିଲା ।
କିନ୍ତୁ ପଶୁ ପ୍ରାଣୀଙ୍କ ପାଇଁ ଏହି ଆଇନ ବଳବତ୍ତର ରହିବ ଓ ଏହା ପୂର୍ବରୁ ହୋଇଥିବା ମୋକଦ୍ଦମା ଗୁଡିକ ଚାଲିବ l
ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଏହି ଖଣ୍ଡପୀଠରେ ଆର୍.ଏଫ୍.ନରିମନ୍, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଇନ୍ଦୁ ମାଲହୋତ୍ରା ଏବଂ ଏ.ଏମ୍. ଖାନଓ୍ବିଲକର ପ୍ରମୁଖ ସଦସ୍ୟ ଥିଲେ l ଇଂରେଜ ଶାସନ ସମୟରେ ୧୮୬୧ଠାରୁ ସମଲିଙ୍ଗୀ ସମ୍ପର୍କକୁ ଏକ ମାନସିକ ବିକାର ଭାବେ ଗଣାଯିବା ସହିତ ଏହି ଅପରାଧ ପାଇଁ ୧୦ ବର୍ଷର ଜେଲ ଦଣ୍ଡାଦେଶ ଭାରତୀୟ ଦଣ୍ଡ ସଂହିତାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସୁପ୍ରିମ୍କୋର୍ଟଙ୍କ ଏହି ରାୟ ଦ୍ୱାରା ୧୫୭ ବର୍ଷର ପୁରୁଣା ଆଇନ ଏବେ ଉଚ୍ଛେଦ ହୋଇଛି।
ସୁପ୍ରିମକୋର୍ଟ ରାୟ ଦେବା ପରେ ସାରା ଦେଶରେ ଉତ୍ସବର ମାହୋଲ ଦେଖା ଦେଇଛି। ଦିଲ୍ଲୀ, କର୍ନାଟକ, ମୁମ୍ବାଇ, ବେଙ୍ଗାଲୁର ଆଦି ସ୍ଥାନରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରାଯାଇଛି। ‘ସ୍ୱାଧୀନ ଭାରତରେ ଆମେ ସ୍ୱାଧୀନ’ ଅନେକ ମତ ଦେଇଛନ୍ତି।
