Connect with us

ଓଡିଶା

ଭିଡିଓ ଭାଇରାଲ ପରେ ଭିନ୍ନମୋଡ଼ ନେଲା ଯୁବତୀଙ୍କ ଆତ୍ମହତ୍ୟା ଘଟଣା

ସାଙ୍କେତିକ

ଭିଡିଓ ଭାଇରାଲ ପରେ ଭିନ୍ନମୋଡ଼ ନେଲା ଯୁବତୀଙ୍କ ଆତ୍ମହତ୍ୟା ଘଟଣା
ଭଦ୍ରକ, ୫ ଫେବୃୟାରୀ – ଗତ ଜାନୁଆରୀ ମାସ ୨୦ ତାରିଖ ଅପରାହ୍ନରେ ଚଳନ୍ତା ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ଘଟଣା ତାଙ୍କ ମୋବାଇଲ୍‌ରେ ଥିବା ଏକ ଭିଡିଓ ଭାଇରାଲ ପରେ ଭିନ୍ନ ମୋଡ ନେଇଛି । ତେବେ ଭଦ୍ରକ ରେଳବାଇ ପୁଲିସ୍ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍ ବସିରହିଥିବାବେଳେ ଏହି ଭିଡିଓ ପୁଲିସ୍ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଆଜି ସଂପୃକ୍ତ ଛାତ୍ରୀଙ୍କ ଭିଡିଓ ଭାଇରାଲ ହେବା ପରେ ଏହି ଆତ୍ମହତ୍ୟା ଘଟଣା ପଛରେ ଥିବା ରହସ୍ୟର ଉନ୍ମୋଚନ ପାଇଁ ସାଧାରଣରେ ଦାବି ଜୋର ଧରିଛି ।
ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣକ ବାସୁଦେବପୁର ଅଟଳ ବିହାରୀ ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ସଂଗୀତା ପଲେଇ । ତାଙ୍କ ପିତା-ମାତା ବ୍ରହ୍ମପୁରରେ ରହୁଥିବାବେଳେ ରାଜ୍ୟ ସରକାରଙ୍କ ଅଧୀନରେ ଚାକିରୀ କରିଥିବା ବଡଭଉଣୀ ଅନ୍ୟତ୍ର ରୁହନ୍ତି । ସଂଗୀତା ଅଟଳ ବିହାରୀ କଲେଜ ନିକଟରେ ଥିବା ପ୍ରିନ୍ସ କଟେଜ ନାମକ ଏକ ମେସ୍‌ରେ ରହି ପାଠ ପଢୁଥିଲେ ।
ଗତ ଜାନୁୟାରୀ ୨୦ ତାରିଖ ଅପରାହ୍ନରେ ଭଦ୍ରକ ଷ୍ଟେସନର ୩ ନଂ ପ୍ଲାଟଫର୍ମରେ ବିଶାଖାପାଟନମ୍‌ରୁ ହାୱଡା ଯାଉଥିବା ହମସଫର ଏକ୍ସପ୍ରେସ୍ ସମ୍ମୁଖକୁ ଡେଇଁ ସେ ଗୁରୁତର ଆହତ ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ସେତେବେଳେ ସଂଗୀତାଙ୍କ ଆତ୍ମହତ୍ୟାକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳିଥିଲା । କେତେକ ତାଙ୍କ ଭଉଣୀ ସହ ଝଗଡା ପରେ ସେ ଆତ୍ମହତ୍ୟା କରିଥିବାର କୁହାଯାଉଥିବାବେଳେ ଆଉ କେତେକ ଅନ୍ୟ କେତେକ କାରଣ ଦର୍ଶାଇଥିଲେ ।
କିନ୍ତୁ ଆଜି ଏହି ଭିଡିଓ ଭାଇରାଲ ହେବା ପରେ ଆତ୍ମହତ୍ୟା ଘଟଣା ପଛରେ ଥିବା କଳଙ୍କିତ ଅଧ୍ୟାୟର ସୂତ୍ରପାତ ହୋଇଛି ।
ଭାଇରାଲ ଭିଡିଓ ଅନୁଯାୟୀ ସଂଗୀତା ରହୁଥିବା ମହିଳା ମେସ୍ ପ୍ରିନ୍ସ କଟେଜ୍‌ର ନିଜ କୋଠରୀରେ ଉକ୍ତ ମେସ୍‌ର ମାଲିକଙ୍କୁ ଦେଖିବାକୁ ମିଳିଛି । ମେସ୍ ମାଲିକ ସଂଗୀତା ରହୁଥିବା ରୁମ୍‌ରେ ପଶି ତାଙ୍କ ସହ କିଛି କଥାବାର୍ତା ହେବା ସହ ତାଙ୍କୁ ଆଲିଙ୍ଗନ କରୁଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି । ତେବେ ଛାତ୍ରୀମାନଙ୍କ ପାଇଁ ମେସ୍ ନିର୍ମାଣ କରି ଜଣେ ମାଲିକ କିପରି ସେମାନଙ୍କ ରୁମ୍‌କୁ ପ୍ରବେଶ ପୂର୍ବକ ଏଭଳି ଆପତିଜନକ ଆଚରଣ ପ୍ରଦର୍ଶନ କଲେ ତାହା ଏବେ ମେସ୍ ଓ ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କ ସୁରକ୍ଷା ଦିଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆତ୍ମହତ୍ୟାର କାରଣକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗିରହିଥିବାବେଳେ ଭାଇରାଲ ହୋଇଥିବା ଭିଡିଓ ଏବେ ବହୁ ଅସମାହିତ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମେସ୍ ମାଲିକଙ୍କ ଏଭଳି ଅଶୋଭନୀୟ ଆଚରଣ ସହିତ ସଂଗୀତାଙ୍କ ମୃତ୍ୟୁର କିଛି ସଂପର୍କ ନାହିଁତ! ଏହା ଆତ୍ମହତ୍ୟା ନା ହତ୍ୟା । ମେସ୍ ମାଲିକ ନିଜର ଅପକର୍ମ ଲୁଚାଇବାକୁ ଯାଇ ସଂଗୀତାଙ୍କୁ ଟ୍ରେନ୍ ସମ୍ମୁଖକୁ ଠେଲି ଦେଇନାହାଁନ୍ତି ତ! ଅନୁରୂପ ମେସ୍ ମାଲିକଙ୍କ ଏଭଳି ଆଚରଣରେ ବ୍ୟଥିତ ସଂଗୀତା ବିଷାଦଗ୍ରସ୍ତ ହୋଇ ଏଭଳି ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତି ନେଇନାହାଁନ୍ତି ତ! ଏହିଭଳି ବହୁ ପ୍ରଶ୍ନ ଉଙ୍କି ମାରୁଛି ଭାଇରାଲ ହୋଇଥିବା ଏହି ଭିଡିଓ ପଛରେ । ତେବେ ପୁଲିସ୍ ଏହି ଭିଡିଓ ଦେଖିବା ପରେ ସଂପୃକ୍ତ ମେସ୍ ମାଲିକଙ୍କ ବିରୁଦ୍ଧରେ କେତେଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଦେଖିବାକୁ ବାକି ରହିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା