ଖଲିସ୍ତାନୀ ନେତାଙ୍କ ସହ ଫଟୋ ଉଠାଇ ପୁଣି ବିବାଦରେ ସିଦ୍ଧୁ
ବିରୋଧୀଙ୍କ ଇସ୍ତଫା ଦାବି
ନୂଆଦିଲ୍ଲୀ,୨୯ା୧୧ : ପୁଣି ଏକ ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି କ୍ରିକେଟରରୁ ନେତା ବନିଥିବା କଂଗ୍ରେସ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ । ଶିଖମାନଙ୍କ ଲାଗି ସ୍ୱତନ୍ତ୍ର ଖଲିସ୍ତାନ ରାଷ୍ଟ୍ର ଦାବି କରୁଥିବା ନେତା ଗୋପାଲ୍ ସିଂ ଚାୱଲା ସିଦ୍ଧୁଙ୍କ ସହ ତାଙ୍କର ଏକ ଫଟୋ ଫେସବୁକରେ ପୋଷ୍ଟ କରିଛନ୍ତି । ଏହି ଫଟୋରେ ସେ ‘ଉଇଥ୍ ସେଦୁ ପା ଜୀ’ ଅର୍ଥାତ୍ ‘ସିଦ୍ଧୁ ଭାଇଙ୍କ ସହ’ ବୋଲି ଲେଖିଛନ୍ତି ।
ଗତକାଲି କର୍ତ୍ତାରପୁର କରିଡର ଶିଳାନ୍ୟାସ ଉତ୍ସବରେ ଯୋଗଦାନ ସମୟରେ ସିଦ୍ଧୁଙ୍କ ସହ ଚାୱଲା ଏହି ଫଟୋ ଉଠାଇଛନ୍ତି । ଗୁରୁବାର ସକାଳୁ ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି । ଅନେକ ସିଦ୍ଧୁଙ୍କୁ ଜଣେ ଆତଙ୍କବାଦୀ ସହ ଫଟୋ ଉଠାଇଥିବା ଲେଖି ସମାଲୋଚନା କରିଛନ୍ତି । ଗତ ସପ୍ତାହରେ ଅମ୍ରିତସରର ନିରଙ୍କରୀ ଭବନରେ ହୋଇଥିବା ଗ୍ରେନେଡ୍ ଆକ୍ରମଣ ପଛରେ ଚାୱଲାଙ୍କ ହାତ ଥିବା ସନ୍ଦେହ କରାଯାଇଛି । ବର୍ତ୍ତମାନ୍ ଗୋପାଲ୍ ସିଂ ଚାୱଲା ପାକିସ୍ତାନ ଶିଖ ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ମହାସଚିବ ଅଛନ୍ତି । କର୍ତ୍ତାରପୁର କରିଡର ଶିଳାନ୍ୟାସ ସମାରୋହରେ ପାକ୍ ସେନା ମୁଖ୍ୟ କମର ଜାଭେଦ୍ ବଜୱା ଚାୱଲାଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ଚାୱଲା ଲାହୋରଠାରେ ଭାରତୀୟ କୂଟନୀତିଜ୍ଞଙ୍କୁ ଗୁରୁଦ୍ୱାରକୁ ପ୍ରବେଶ କରିବାକୁ ନ ଦେଇ ବିବାଦ ଘେରକୁ ଆସିଥିଲେ ।
ଗୋପାଲ ସିଂ ଚାୱଲାଙ୍କ ସହ ସିଦ୍ଧୁ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ସିଦ୍ଧୁଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡିଛି । ଏହି ଫଟୋ ଭାଇରାଲ ହେବା ପରେ ପଞ୍ଜାବରେ ଦୃଢ଼ ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାରତୀୟ ଜନତା ପାର୍ଟିର ପଞ୍ଜାବ ଶାଖା ପକ୍ଷରୁ ସିଦ୍ଧୁଙ୍କ ଇସ୍ତଫା ଦାବି କରାଯାଇଛି ।