Connect with us

ଓଡିଶା

ପିକନିକ୍ ବସର ଆଗଚକ ଫାଟିଲା : ଦାରିଙ୍ଗବାଡି ଘାଟିରେ ଅଳ୍ପକେ ବର୍ତିଲେ ୫୦ ଜଣ

ସାଙ୍କେତିକ

ପିକନିକ୍ ବସର ଆଗଚକ ଫାଟିଲା : ଦାରିଙ୍ଗବାଡି ଘାଟିରେ ଅଳ୍ପକେ ବର୍ତିଲେ ୫୦ ଜଣ
କନ୍ଧମାଳ,୦୬ ଫେବୃୟାରୀ – ଓଡିଶାର କାଶ୍ମିର ଦାରିଙ୍ଗବାଡି ଦେଖିଲେ । ପ୍ରାକୃତିକ ମନୋରମ ପରିବେଶ ସାଙ୍ଗକୁ ଥଣ୍ଡାର ମଜା ନେବାସହ ବଣଭୋଜି ବି କଲେ, ସେଲ୍ଫି ଉଠାଇଲେ ଆଦି କେତେ କ’ଣ ମଜା କରି ନିଜ ଗାଁକୁ ଯିବାବେଳେ ଦାରିଙ୍ଗବାଡି ନିକଟସ୍ଥ ଗାଜଲବାଡି ଘାଟିରେ ଗାଡିଟି ଭାରସାମ୍ୟ ହରାଇବା ଫଳରେ ଘାଟି ତଳକୁ ଖସିଯିବା ବେଳେ ପଥରରେ ଅଟକିଯିବା ଫଳରେ ଅଳ୍ପକେ ବର୍ତିଯାଇଥିଲା ୫୦ ଜୀବନ । ବସଟି ଟିକିଏ ହଲଚଲ ହୋଇଥିଲେ ୨୫ ଫୁଟ ତଳକୁ ଖସିପଡିଥାନ୍ତା ।
ଖବର ପାଇ ସୋରଡା ପୋଲିସ ଦମକଳ ବାହିନୀ ଓ ଦାରିଙ୍ଗବାଡି ଦମକଳ ବାହିନୀ ତତକ୍ଷଣାତ୍ ଘଟଣାସ୍ଥଳରେ ପଂହଚି ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ସମୟ ପ୍ରାୟ ୯ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏହି ବସଟି ପୁରୀ ଅଂଚଳର ୫୦ଜଣ ପର୍ଯ୍ୟଟକଙ୍କୁ ନେଇ ଦାରିଙ୍ଗବାଡି ଆସିଥିଲା । ଫେରିବା ବେଳେ ଏହି ଅଘଟଣ ଘଟିଥିଲା । ବସ ଭିତରେ ଖୁସି ମଜା କରି ସମସ୍ତେ ଫେରୁଥିଲେ ହେଲେ କିଛି ସମୟ ପରେ ସବୁ ଖୁସି ପାଣି ଫୋଟକା ପରି ମିଳେଇଯାଇ ଦୁଃଖ ଆଣିଦେଇଥିଲା । ବର୍ଷାଯୋଗୁଁ ଘାଟିର ଶେଷ ବୁଲାଣିରେ ଗାଡିଟି ଭାରସାମ୍ୟ ହରାଇ ଖସିଯାଇ ବସ ଆଗ ଚକା ଘାଟିତଳକୁ ଖସି ଝୁଲି ରହିଥିଲା । ପର୍ଯ୍ୟଟକ ମାନଙ୍କ ମଧ୍ୟରେ କାନ୍ଦ ବୋବାଳି ପଡିଯାଇଥିଲା । ସମସ୍ତେ ଠାକୁରଙ୍କୁ ଡାକୁଥିଲେ ରକ୍ଷା କରିବାଲାଗି । ତେବେ, ଠାକୁର ଶୁଣିଲେ ସେମାନଙ୍କ କଥା । ପୋଲିସ ଓ ଦମକଳ ବାହିନୀ ଦେବଦୁତ ସାଜି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଯାତ୍ରୀଙ୍କୁ ଅନ୍ୟ ବସ ଯୋଗେ ପଠାଯାଇଥିଲା ।
ସୂଚନା ଯୋଗ୍ୟ ଯେ, କିଛିଦିନ ତଳେ ରାୟଗଡାରୁ ବ୍ରହ୍ମପୁର ଆସୁଥିବା ଏକ ଯାତ୍ରୀବାହୀ ବସ ତପ୍ତପାଣି ଘାଟିରେ ଖସିପଡିବା ଫଳରେ ୮ ଜଣଙ୍କୁ ମୃତ୍ୟୁ ଘଟିଥିଲା । ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଏହି ମର୍ମନ୍ତୁଦ ଛାତିଥରା ଘଟଣା ଲୋକଙ୍କ ମନରୁ ନଯାଉଣୁ ଗତକାଲି ରାତିରେ ଦାରିଙ୍ଗବାଡିର ଗାଜଲବାଡି ଘାଟିରେ ବସ ଘାଟିତଳକୁ ଖସିପଡୁଥିବା ବେଳେ ଅଳ୍ପକେ ବର୍ତି ଯାଇଥିବା ଘଟଣା ନେଇ ଆଲୋଚନା ଯୋର ଧରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା