Connect with us

ଓଡିଶା

ପଟ୍ଟନାୟିକିଆ ଛକ ଟ୍ରିପଲ୍ ମର୍ଡ଼ର ମାମଲା : ମାଷ୍ଟର ମାଇଣ୍ଡ ସମେତ ୬ ଗିରଫ

ସାଙ୍କେତିକ

ପଟ୍ଟନାୟିକିଆ ଛକ ଟ୍ରିପଲ୍ ମର୍ଡ଼ର ମାମଲା : ମାଷ୍ଟର ମାଇଣ୍ଡ ସମେତ ୬ ଗିରଫ
ଫେରାର୍ ୫ ଅଭିଯୁକ୍ତଙ୍କୁ ଗିରଫ ନେଇ ପୋଲିସର ତନାଘନା
ଭୁବନେଶ୍ୱର/ସାକ୍ଷିଗୋପାଳ, ୧୬ ଜୁଲାଇ – ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ-ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥର ପଟ୍ଟନାୟିକିଆ ଛକରେ ଗତ ୧୪ ତାରିଖ ଦିନ ଘଟିଯାଇଥିବା ଟ୍ରିପଲ୍ ମର୍ଡ଼ର ମାମଲାରେ ପୋଲିସ ମାଷ୍ଟର ମାଇଣ୍ଡ ସମେତ ୬ ଜଣଙ୍କୁ ଗିରଫ କରିଛି । ଏନେଇ ପୋଲିସ ଡିଜି ଆରପି ଶର୍ମା ଆଜି ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ରବିବାର ସଂନ୍ଧ୍ୟାରେ ବିଚ୍ ରାସ୍ତାରେ ସମ୍ପୃକ୍ତ ତିନି ଜଣ ଯୁବକଙ୍କୁ ଗୋଡାଇ ଗୋଡାଇ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମୃତକ ମାନେ ହେଲେ ସ୍ଥାନୀୟ ସଦାନନ୍ଦପୁର ଗ୍ରାମର ଗୋଟିଏ ପରିବାରର ତିନି ଭାଇ କୃଷ୍ଣଚନ୍ଦ୍ର ବେହେରା, ପଂଚୁ ବେହେରା ଓ ପୂର୍ଣ୍ଣଚନ୍ଦ୍ର ବେହେରା । ଏହି ତିନି ଜଣ କୌଣସି କାମରେ ପଟ୍ଟନାୟିକିଆ ଛକକୁ ଆସୁଥିବା ବେଳେ ସେଠାରେ ପୂର୍ବରୁ ଛକି ରହିଥିବା ଦୁର୍ବୃତ ମାନେ ଧାରୁଆ ଅସ୍ତ୍ରରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ଗତକାଲି ଏହି ପ୍ରସଙ୍ଗକୁ ନେଇ ବିଧାନ ସଭାରେ ବିରୋଧୀଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା ।
ଏନେଇ ଅଧିକ ସୂଚନା ଦେଇ ସତ୍ୟବାଦୀ ଥାନା ଅଧିକାରୀ ତପନ ରାଉତ କହିଛନ୍ତି ଯେ, ମାମଲାରେ ବର୍ତମାନ ସୁଦ୍ଧା ୬ ଜଣଙ୍କୁ ଗିରଫ କରାଯାଇଛି । ଆସନ୍ତାକାଲି ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯିବ । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ୫ ଜଣ ଅଭିଯୁକ୍ତ ବର୍ତମାନ ସୁଦ୍ଧା ଫେରାର୍ ଅଛନ୍ତି । ସେମାନଙ୍କୁ ଗିରଫ ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରୀ ରହିଛି ।
ପ୍ରକାଶ ଥାଉକି, ହତ୍ୟାକାଣ୍ଡକୁ ନେଇ ପୋଲିସ ମୋଟ୍ ତିନୋଟି ମାମଲା ରୁଜୁ କରିଛି । ହତ୍ୟାକାଣ୍ଡକୁ ନେଇ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ଘଟଣା ଦିନ ରାସ୍ତାରୋକକୁ ନେଇ ଦ୍ୱିତୀୟ ମାମଲା ଏବଂ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଜାଳିଦେବାକୁ କେନ୍ଦ୍ର କରି ତୃତୀୟ ମାମଲା ରୁଜୁ ହୋଇଛି । ମାମଲାର ତଦନ୍ତ ପାଇଁ ପୋଲିସ ପକ୍ଷରୁ ତିନୋଟି ଟିମ୍ ଗଠନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା