Connect with us

ଓଡିଶା

କଂଗ୍ରେସର ୧୨ଘଂଟିଆ ନବରଙ୍ଗପୁର ଜିଲା ବନ୍ଦ, କାର୍ ଜାଳିଦେଲେ ଆନ୍ଦୋଳନକାରୀ

ସାଙ୍କେତିକ

କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା
କଂଗ୍ରେସର ୧୨ଘଂଟିଆ ନବରଙ୍ଗପୁର ଜିଲା ବନ୍ଦ, କାର୍ ଜାଳିଦେଲେ ଆନ୍ଦୋଳନକାରୀ
ନବରଙ୍ଗପୁର, ୨୬ ଡ଼ିସେମ୍ବର – ନବରଙ୍ଗପୁର ଜିଲାର କୋଷାଗୁମୁଡା ବ୍ଳକ ଗୁମଣ୍ଡଳୀ ଅଂଚଳର ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ଜିଲା କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ଦିନ ୧୨ଘଂଟିଆ ବନ୍ଦ ଡାକରା ଦିଆଯାଇଥିଲା । ସକାଳ ୬ଟାରୁ ଦଳୀୟ ନେତାକର୍ମୀ ମାନେ ପିକେଟିଂ କରିବା ସହ ଜାତୀୟ ରାଜପଥ ନଂ ୨୬ରେ ଟାୟାର ଜାଳି ଅବରୋଧ କରିଥିଲେ । ଫଳରେ ଯାନବାହନ ଚଳାଚଳ ବନ୍ଦ ହୋଇଥିଲା । ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୧୪ ଦିନ ବିତିଯାଇଥିଲେ ହେଁ ପୁଲିସ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରୁନଥିବାବେଳେ ଏଥିପାଇଁ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରକୁ ତୀବ୍ର ନିନ୍ଦା କରାଯାଇଥିଲା । ଏପରିକି ଶବ ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ଗୁପ୍ତ ରଖାଯାଇଛି ।

ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଉପସଭାପତି ଦିଲ୍ଲୀପ ବେହେରା, ଅଖିଳ ଭତରା, ସମ୍ପାଦକ ପ୍ରଦୀପ ସାହୁ, କୁନାପାଢୀ, ଅବଦୁଲ ଫିରୋଜ, ପ୍ରଫୁଲ ପଣ୍ଡା, କାଳୀଚରଣ ପାତ୍ର, ନଗର ସଭାପତି ଉତମ ତ୍ରିପାଠୀ, ପ୍ରଣତି ତ୍ରିପାଠୀ, ଦୀପକ ସୁନା, ଚନ୍ଦ୍ର ମଲ୍ଲିକ, ବାସୁଦେବ ପଟ୍ଟନାୟକ, ବାମଦେବ ନାୟକ ପ୍ରମୂଖ ନେତୃତ୍ୱ ନେଇଥିଲେ । ସହର ପ୍ରବେଶ ଦ୍ୱାର ମାଝୀଗୁଡା ଛକ ଓ ଚାଉଁରିଆଗୁଡା ଛକରେ ମଧ୍ୟ ଦଳୀୟ ନେତା ଓ କର୍ମୀମାନେ ରାସ୍ତା ଅବରୋଧ କରିବାରୁ ଶତାଧିକ ଯାନବାହାନ ଅଟକ ରହିଥିଲା ।

ପୂର୍ବାହ୍ନ ୧୧ଟାରେ ବେଳେ ଅତିରିକ୍ତ ଏସପି ଶାନ୍ତନୁ ମହାନ୍ତି ଓ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ ପୁଲିସ ଫୋର୍ସ ସହିତ ପହଂଚିବା ସହ ଆନ୍ଦୋଳନକାରୀଙ୍କୁ ଜୋରଜବରଦସ୍ତ ରାସ୍ତାରୁ ହଟାଇ ଯାନବାହନ ଛାଡିଥିଲେ । ଏହି ଖବରପାଇ ପ୍ରଦୀପ ମାଝୀ ଓ ମୁନା ତ୍ରିପାଠୀ ଘଟଣାସ୍ଥଳକୁ ଯାଇଥିଲେ । ଏହାପରେ ସେଠାରେ ଉତେଜନା ପରିସ୍ଥିତି ଦେଖାଦେଇଥିଲା । ଫଳରେ ଉତେଜିତ ହୋଇ ପ୍ରଦୀପ ଦଳୀୟନେତା ମାନଙ୍କୁ ଫୋନ କରି ପେଟ୍ରୋଲ ଓ ଡିଜେଲ ରଖ ଓ ନିର୍ଦ୍ଦେଶ ଦିଆଗଲେ ଜାଳିବାକୁ କହିଥିଲେ । ଏହାପରେ ପରିସ୍ଥିତି ଅଧିକ ଜଟିଳ ଆକାର ଧାରଣ କରିବା ସହ ଆନ୍ଦୋଳନକାରୀ ମାନେ ଆମ୍ବେଦକର ଛକ ନିକଟରେ ଗୋଟିଏ କାରକୁ ନିଆଁ ଲଗାଇଦେଇଥିଲେ । ଖବର ପାଇ ଦମକଳ ବାହିନୀ ପହଂଚିବା ସହ ନିଆଁକୁ ଲିଭାଇଥିଲେ ହେଁ ଗାଡିଟି ସଂପୂର୍ଣ୍ଣ ଭାବରେ ଜଳିଯାଇଥିଲା । ପରେ ପରିସ୍ଥିତି କିଛି ସମୟ ପାଇଁ ଉତେଜନା ରହିଥିଲା । ପୁଲିସ ପଛଘୁଂଚା ଦେବା ପରେ ପୁଣି ରାସ୍ତା ଅବରୋଧ କରାଯାଇଥିଲା । ତେବେ ସନ୍ଧ୍ୟାପରେ ପରିସ୍ଥିତି ସ୍ୱାଭାବିକ ହେବା ସହ ଯାନବାହନ ଚଳାଚଳ କରିଥିଲା ।

ତେବେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ଯେ, ରାଜ୍ୟରେ ମା’ ଭଉଣୀ ମାନଙ୍କ ଉପରେ ଦୁଷ୍କର୍ମ ଘଟଣାମାନ ବଢିବାରେ ଲାଗିଛି । ରାଜ୍ୟର ବିଜେଡି ସରକାର କୈାଣସି ପଦକ୍ଷେପ ନେଉ ନାହିଁ । କଂଗ୍ରେସ ଗାନ୍ଧିନୀତି ନେଇ କାମ କରିବାରୁ ବିଜେଡି ସରକାର ଶୁଣୁ ନାହିଁ । ଏଣିକି ସୁଭାଷ ବୋଷଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ନ୍ୟାୟ ପାଇଁ ହିଂସା କରାଯିବ ବୋଲି ଚେତାବନୀ ଦେଇ କହିଛନ୍ତି । କୁନ୍ଦୁଲି ଗଣଦୁଷ୍କର୍ମ, ଯାଜପୁରରେ ଦୁଷ୍କର୍ମ ପରେ ଗୁମୁଣ୍ଡଳି ଗଣଦୁଷ୍କର୍ମ ଘଟିଛି ।ଏହାଛଡା ଦୈନିକ ହତ୍ୟା ଓ ନାରୀ ନିର୍ଯାତନା ବଢୁଛି । ଆଗାମୀ ଦିନରେ ରାଜ୍ୟରେ ତୀବ୍ର ଆନ୍ଦୋଳନ କରାଯିବା ସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯିବ ବୋଲି କହିଥିଲେ ।
ଆଜି ସମଗ୍ର ଜିଲାରେ ବନ୍ଦ ପାଳନ ଯୋଗୁଁ ଯାନବାହନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଥିବାବେଳେ ଲୋକଙ୍କର ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା