Connect with us

ଓଡିଶା

ଔଷଧ ଦୋକାନୀଙ୍କ ମୃତ୍ୟୁ, ଡ଼ାକ୍ତର ଚିକିତ୍ସାଧିନ

ସାଙ୍କେତିକ

କ୍ଳିନିକ୍ ରେ ଗୁଳିମାଡ଼ ଘଟଣା
ଔଷଧ ଦୋକାନୀଙ୍କ ମୃତ୍ୟୁ, ଡ଼ାକ୍ତର ଚିକିତ୍ସାଧିନ
୨୪ ଘଂଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ଦାବି ଜୋର୍ ଧରିଲା
ପ୍ରତିବାଦରେ ଜିଲ୍ଲାରେ ଔଷଧ ଦୋକାନ ବନ୍ଦ
୧୮ ରୁ ଜିଲ୍ଲାରେ ସମସ୍ତ ଔଷଧ ଦୋକାନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ପାଇଁ ବ୍ୟବସାୟୀ ସଂଘର ଚେତାବନୀ
ଖୋର୍ଦ୍ଧା, ୧୬ ଡ଼ିସେମ୍ବର – ଗତକାଲି ସଂନ୍ଧ୍ୟାରେ ଖୋର୍ଦ୍ଧାର ଏକ କ୍ଲିନିକ୍ ରେ ହୋଇଥିବା ଗୁଳିମାଡ଼ ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଥିବା ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ଆଜି ଭୋର୍ ରୁ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହି ଗୁଳି ମାଡ଼ରେ ଗୁରୁତର ହୋଇଥିବା ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ମାନସ ଦାସ ସମ୍ପ୍ରତି ଚିକିତ୍ସାଧିନ ଅଛନ୍ତି । ଅନ୍ୟପକ୍ଷରେ ଘଟଣାର ପ୍ରତିବାଦରେ ଆଜି ଜିଲ୍ଲାରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିଛି । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ ୨୪ ଘଂଟା ମଧ୍ୟରେ ଗିରଫ କରୁ ବୋଲି ଦାବି କରିଛି ଔଷଧ ବ୍ୟବସାୟୀ ସଂଘ । ନଚେତ୍ ଆସନ୍ତା ୧୮ ତାରିଖ ଠାରୁ ଜିଲ୍ଲାରେ ସମସ୍ତ ଔଷଧ ଦୋକାନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସଂଘ ଚେତାବନୀ ଦେଇଛି ।
ଖୋର୍ଦ୍ଧା ଏସଡ଼ିପିଓ ସୁଶିଲ୍ ମିଶ୍ରଙ୍କ ସୂଚନା ଅନୁଯାୟୀ, ଜମିଜମା ବିବାଦକୁ ନେଇ ଏଭଳି ଗୁଳିକାଣ୍ଡ ହୋଇଛି । ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଆଇଜିଙ୍କ ନିର୍ଦ୍ଦେଶ କ୍ରମେ ତଥା ଏସପିଙ୍କ ନେତୃତ୍ୱରେ ପୋଲିସର ୪ଟି ଟିମ୍ ଗଠନ କରାଯାଇଛି । ବିଭିନ୍ନ ଦିଗରୁ ପୋଲିସ ଟିମ୍ ତଦନ୍ତ ଚଳାଇଛି । ଭୁବନେଶ୍ୱର, ଖୋର୍ଦ୍ଧା, ବ୍ରହ୍ମପୁର ଓ ନୟାଗଡକୁ ଗୋଟିଏ ଲେଖାଏଁ ଟିମ୍ ପଠାଯାଇଛି । ଅପରାଧୀଙ୍କୁ ଚିହ୍ନଟ ପାଇଁ ସମସ୍ତ ଜେଲ୍ କୁ ଘଟଣା ଦିନର ସିସିଟିଭି ଫୁଟେଜ୍ ପଠାଯାଇଛି । ତଦନ୍ତର ତଦାରଖ କରୁଛନ୍ତି କେନ୍ଦ୍ରାଚଂଳ ଆଇଜି ଆଶିଷ ସିଂହ । ସେହିପରି ଖୋର୍ଦ୍ଧା ପାଖାପାଖି ରାସ୍ତା କଡ଼ରେ ଥିବା ସମସ୍ତ ସିସିଟିଭି ଯାଂଚ୍ କରାଯାଉଛି । ଗୋଟିଏ ସିସିଟିଭିରୁ ସନ୍ଦିଗ୍ଧ ନୟାଗଡ଼ ଆଡକୁ ଯାଉଥିବା ଜଣାପଡୁଥିବା ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଥିବା ସେ କହିଛନ୍ତି ।
ପ୍ରକାଶ ଥାଉ କି, ରବିବାର ସଂନ୍ଧ୍ୟାରେ ଡ଼ାକ୍ତର ଶ୍ରୀ ଦାସ କ୍ଳିନିକ୍ ରେ ରୋଗୀ ଦେଖୁଥିଲେ । ଏହି ସମୟରେ ବାଇକ୍ ରେ ଆସିଥିବା ଦୁଇ ଦୁର୍ବୃତଙ୍କ ମଧ୍ୟରୁ ଜଣେ କ୍ଲିନିକ୍ ରେ ଜୋରଜବରଦସ୍ତ ପଶି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା । ଫଳରେ ତାଙ୍କ ଛାତି ଓ ପେଟରେ ଗୁଳି ବାଜିଥିଲା । ଗୁଳି ଶବ୍ଦ ଶୁଣି ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାମ୍ନାକୁ ଆସିବାରୁ ଦୁର୍ବୃତ ତାଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲା । ଗୁଳିଟି ତାଙ୍କ ପେଟରେ ବାଜିଥିଲା । ଏଭଳି ହିଂସାକାଣ୍ଡ ଭିଆଇବା ପରେ ସେମାନେ ଆଖି ପିଛୁଳାକେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ସିସିଟିଭି ଫୁଟେଜ୍ କୁ ଭିତି କରି ଛାନଭିନ୍ ଜାରୀ ରଖିଛି । ତେବେ ଅଦ୍ୟାବଧି ମାମଲାରେ ଜଡ଼ିତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା