Connect with us

ଓଡିଶା

ବିଧବା ମହିଳାଙ୍କୁ ମାଡ ମାରିବା, ଟଣାଓଟରା କରିବା ଅଭିଯୋଗ

ସାଙ୍କେତିକ

ବିଧବା ମହିଳାଙ୍କୁ ମାଡ ମାରିବା, ଟଣାଓଟରା କରିବା ଅଭିଯୋଗ
କନଷ୍ଟେବଳଙ୍କ ସମେତ ୨ ଗିରଫ
ବଲାଙ୍ଗିର, ୧୭ ଜୁଲାଇ – ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ପରେ ଏବେ ଜଣେ ପୋଲିସ କନଷ୍ଟେବଳଙ୍କ ଦବଙ୍ଗଗିରି ଘଟଣା ସାମ୍ନାକୁ ଆସିଛି । ଜମି ବିବାଦକୁ ନେଇ ସେ ଜଣେ ବିଧବା ମହିଳାଙ୍କୁ ଥାନାରେ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଥିବା ବେଳେ ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି । ଘଟଣାରେ ତାଙ୍କ ସହିତ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।
ଅଭିଯୋଗ ଅନୁଯାୟୀ, ବଲାଙ୍ଗିର ସହରର ଗାନ୍ଧୀନଗର ପଡାରେ ରହୁଥିବା ଏହି ବିଧବା ଆଦିବାସୀ ମହିଳାଙ୍କ ଦେଢ଼ଶୁର ଏକ ଜାଗା ବିକ୍ରୀ କରିବାକୁ ଉଦ୍ୟମ କରିଥିଲେ । ହେଲେ ଜମି ଭାଗ ବଂଟା ହୋଇନଥିବାରୁ ବିକ୍ରୀ ପାଇଁ ନୋ ଅବଜେକ୍ସନ ସାର୍ଟିଫିକେଟରେ ଏହି ମହିଳାଙ୍କ ଦସ୍ତଖତ ଦରକାର ହୋଇଥିଲା । ତେବେ ସେ ଦସ୍ତଖତ କରିବାକୁ ରୋକଠୋକ୍ ମନା କରି ଦେଇଥିଲେ । ତେଣୁ ଜମି ବିକ୍ରୀରେ ମଧ୍ୟସ୍ଥି ସାଜିଥିବା ବଲାଙ୍ଗିର ଟାଉନ୍ ଥାନା କନଷ୍ଟେବଳ ଅଞ୍ଜନ ପ୍ରଧାନ ଏଥିରେ ହସ୍ତକ୍ଷେପ କରିଥିଲେ ଏବଂ ନୋ ଅବଜେକ୍ସନ ସାର୍ଟିଫିକେଟରେ ଦସ୍ତଖତ କରିବାକୁ ତାଙ୍କୁ ବିଭିନ୍ନ ଧମକ ଚମକ ଦେଉଥିଲେ । ତାଙ୍କର ସମସ୍ତ ଯୋଜନା ଫେଲ୍ ମାରିବା ପରେ ଗତ ୧୫ ତାରିଖ ରାତିରେ ଅଞ୍ଜନ ସମ୍ପୃକ୍ତ ମହିଳାଙ୍କ ଦୁଇ ପୁଅ ଓ ଅନ୍ୟ ତିନି ଜଣ ପିଲାଙ୍କୁ ପିସିଆର୍ ଭ୍ୟାନ୍ ରେ ଥାନାକୁ ନେଇ ଯାଇଥିଲେ । ସେମାନେ ରାସ୍ତାରେ ବୁଲୁଥିବାରୁ ସେ ସେମାନଙ୍କୁ ଉଠାଇ ଆଣିଥିବା ସଫେଇ ଦେଇଥିଲେ । ୧୬ ତାରିଖ ଦିନ ପୋଲିସ ତିନି ଜଣ ପିଲାଙ୍କୁ ଛାଡି ଦେଇଥିଲା । କିନ୍ତୁ, ଉକ୍ତ ମହିଳାଙ୍କ ଦୁଇ ପୁଅଙ୍କୁ ଛାଡି ନଥିଲା । ଦୁଇ ପୁଅଙ୍କୁ ଥାନାରୁ ନେବା ପାଇଁ ମହିଳାଙ୍କୁ ଥାନାକୁ ଡକାଯାଇଥିଲା । ସେ ଥାନାରେ ପହଂଚିବା ପରେ ତାଙ୍କୁ ଏକ ଦରଖାସ୍ତରେ ଦସ୍ତଖତ କରିବାକୁ କୁହାଯାଇଥିଲା । ଏଥି ସହିତ ଦରଖାସ୍ତ ତଳେ ଥିବା ଷ୍ଟାମ୍ପ ପେପରରେ ମଧ୍ୟ ଦସ୍ତଖତ କରିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା । ମହିଳା ଜଣକ ଏହାର ପ୍ରତିବାଦ କରିବାରୁ କନଷ୍ଟେବଳ ଅଞ୍ଜନ ପ୍ରଧାନ ତାଙ୍କୁ ମାଡ ମାରିବା ସହ ତାଙ୍କ ସହିତ ଥାନାକୁ ଆସିଥିବା ତାଙ୍କ ବଡ ଭଉଣୀ ଓ ବାପାଙ୍କୁ ମଧ୍ୟ ମାଡ ମାରିଥିଲେ । ଏହା ସହିତ ତାଙ୍କୁ ଟଣାଓଟରା କରିଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି । ତେବେ ଏତିକିରେ ତାଙ୍କ ମନ ଶାନ୍ତ ପଡିନଥିଲା । ମହିଳାଙ୍କ ଅଭିଯୋଗ ଅନୁଯାୟୀ, କନଷ୍ଟେବଳ ଅଞ୍ଜନ ତାଙ୍କୁ ଥାନା ବାହାରକୁ ନେଇ ଯାଇଥିଲେ ଓ କଚେରୀ ଛକରେ ମଧ୍ୟ ନିସ୍ତୁକ ପିଟିଥିଲେ । ସ୍ଥାନୀୟ କିଛି ଯୁବକ ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କ ପ୍ରତି ପୋଲିସର ଏଭଳି ନିର୍ଯାତନା ବାବଦରେ ମହିଳା ଜଣକ ବଲାଙ୍ଗିର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କନଷ୍ଟେବଳ ଅଞ୍ଜନ ଓ ବିକାଶ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ବିକାଶ ଉକ୍ତ ଜମିକୁ କିଣିବାକୁ ଚାହୁଁଥିଲେ ବୋଲି ଜଣାପଡିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା