Connect with us

ଓଡିଶା

ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା

ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା
ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ବେଆଇନ ରଙ୍ଗଶାଳାକୁ ଭାଙ୍ଗି ମାଟିରେ ମିଶାଇଲା ଜିଲା ପ୍ରଶାସନ
ଧର୍ମଶାଳା, ୭ ଫେବୃଆରୀ – ବହୁ ଚର୍ଚ୍ଚିତ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁରରେ କାର୍ଯ୍ୟରତ ପଂଚାୟତ ନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ଇତି ମଧ୍ୟରେ ୪ ମାସ ପୁରିବାକୁ ବସିଛି । ହେଲେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଯେଉଁ ଗେଷ୍ଟହାଉସରେ ସ୍ମିତାରାଣୀଙ୍କର ମୃତ୍ୟୁ ହୋଇଥିଲା ଆଜି ଜିଲା ପ୍ରଶାସନ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସରକାରୀ ଜମିରେ ଥିବା ଏହି ୨ମହଲା ବିଶିଷ୍ଟ ସୁଦୃଢ଼ ଅଟ୍ଟାଳିକା(ରଙ୍ଗଶାଳା)କୁ ଡ୍ରୋଜର ଲଗାଇ ମାଟିରେ ମିଶାଇ ଦେଇଛି । ଯାହାକୁ ନେଇ ଆଜି ଦିନ ତମାମ ଧର୍ମଶାଳାରେ ଚର୍ଚ୍ଚା ଲାଗିରହିଛି ।
ହାଇକୋର୍ଟର ଷ୍ଟେ ଅର୍ଡର ଅବଧି ପରେ ଆଜି ସକାଳ ୬ ଟା ସମୟରେ ଜିଲା ପ୍ରଶାସନ ପକ୍ଷରୁ ୨ ପ୍ଲାଟୁନ ପୁଲିସ ଫୋର୍ସ ହରିଦାସପୁର ପଂଚାୟତସ୍ଥିତ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ବେଆଇନ ରଙ୍ଗଶାଳାରେ ମୁତୟନ କରାଯାଇଥିଲା । ଜିଲା ପ୍ରଶାସନ ଉପସ୍ଥିତିରେ ପ୍ରଥମେ ଫାଟକ ଓ ରଙ୍ଗଶାଳାରେ ସିିଲ୍ ହୋଇଥିବା ତାଲାକୁ ଫିଟା ଯାଇଥିଲା । ପରେ ରୂପେଶର ପରିବାର ଲୋକଙ୍କୁ ଘର ଭିତରୁ ସମସ୍ତ ସାମଗ୍ରୀ ନେଇଯିବା ପାଇଁ ଅନୁମତି ଦିଆଯାଇଥିଲା । ପ୍ରଥମେ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସ୍ତ୍ରୀ ମଧୁସ୍ମିତା ଏହାକୁ ବିରୋଧ କରିଥିଲେ । ପ୍ରଶାସନ ନିକଟରେ ସେ କାଗଜ ପତ୍ର ଦେଖାଇ ପାରି ନଥିଲେ । ପରେ ପରିବାର ପକ୍ଷରୁ ଘର ଭିତରେ ଥିବା ସମସ୍ତ ଆସବାବପତ୍ର ବାହାର କରି ନିଆଯାଇଥିଲା । ପୂର୍ବାହ୍ନ ୧୧ ଟା ସମୟରେ ୨ଗୋଟି ଡ୍ରୋଜର ଦ୍ୱାରା ଉକ୍ତ ରଙ୍ଗଶାଳାକୁ ଭାଙ୍ଗି ଦିଆଯାଇଥିଲା । ୫ ଘଂଟା କାଳ ଏହି ଭଙ୍ଗା କାର୍ଯ୍ୟ ପରେ ଏହି ୨ ମହଲା ବିଶିଷ୍ଟ ରଙ୍ଗଶାଳାକୁ ମାଟିରେ ମିଶାଇ ଦିଆଯାଇଥିଲା । ଫଳରେ ଏହି ସରକାରୀ ଜମିରେ ଏଭଳି ବିବାଦୀୟ ରଙ୍ଗଶାଳା ଘଟଣାର ଅନ୍ତ ଘଟିଛି । ଏହି ରଙ୍ଗଶାଳା ଭଙ୍ଗା ସମୟରେ ସେଠାରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ, ଉପ-ଜିଲାପାଳ ନାରାୟଣ ଧଳ, ଯାଜପୁର ଏଡିଏମଓ ମିହିର ପ୍ରସାଦ ମହାନ୍ତି, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦୋରା, ଯାଜପୁର ଏସଡିପିଓ ଚିନ୍ମୟ ନାୟକ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲଙ୍କ ସମତେ ତହସିଲ କର୍ମଚାରୀ, ଧର୍ମଶାଳା ପୁଲିସ, ବଡଚଣା, ବାଲିଚନ୍ଦ୍ରପୁର, କୁଆଖିଆ, ଜେନାପୁର ଥାନା ଅଧିକାରୀ ଉପସ୍ଥିତ ରହିଥିବା ବେଳେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।
ସୂଚନା ଥାଉକି, ଅକ୍ଟୋବର ମାସ ୧୬ ତାରିଖରେ ପିଇଓ ସ୍ମିତାରାଣୀଙ୍କର ହରିପୁର ସରପଂଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୂପେଶଙ୍କ ରଙ୍ଗଶାଳାରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁ ଘଟଣାକୁ ନେଇ ଜିଲାଠାରୁ ଆରମ୍ଭ କରି ରାଜ୍ୟ ସାରା ଚର୍ଚ୍ଚାର ବିଷୟ ହୋଇଥିଲା । ସ୍ମିତାଙ୍କ ମୃତ୍ୟୁର ୪ ଦିନ ପରେ ଧର୍ମଶାଳା ଥାନା ପରିସରରେ ଜିଲା ଆରକ୍ଷୀ ଅଧିକ୍ଷକ ଚରଣସିଂମୀନା ଏକ ସାମ୍ବାଦିକ ସମ୍ମିଳନୀ ଡକାଇ କହିଥିଲେ ଯେ, ହରିଦାସପୁର ସରପଂଚଙ୍କ ଗେଷ୍ଟ ହାଉସରେ ପିଇଓ ସ୍ମିତାଙ୍କ ମୃତ୍ୟୁ ଘଟିଥିଲା, ତାହା ଆତ୍ମହତ୍ୟାଜନିତ କାରଣରୁ ଘଟିଛି । ସ୍ମିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ପୁଲିସ ସବୁ ଦିଗରୁ ତଦନ୍ତ କରି ଏହି ଘଟଣାରେ ହରିଦାସପୁର ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ର ଓ ତାହାର ୪ ସହଯୋଗୀଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା । ଦୀର୍ଘ ଦିନ ଧରି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ବିବାହିତ ଥାଇ ମଧ୍ୟ ଉଭୟ ପରସ୍ପରକୁ ଭଲ ପାଉଥିଲେ । ଏ ଭଳି ଘଟଣା ଲୋକାଲୋଚନକୁ ଆସିଥିଲା । ଶେଷରେ ରୂପେଶ ସବୁ ଦିନ ପାଇଁ ତାହା ପାଖରେ ରଖିବାକୁ ସ୍ମିତାକୁ ବାଧ୍ୟ କରୁଥିଲା । ଏବଂ ଘଟଣା ଦିନ ଅପରାହ୍ନରେ ସ୍ମିତା ଭତା ଟଙ୍କା ବାଂଟି ଉକ୍ତ ଗେଷ୍ଟ ହାଉସରେ ପଂହଚିଥିଲେ । ସେଠାରେ ରୂପେଶ ଓ ସ୍ମିତାଙ୍କୁ ତାହା ପାଖରେ ରହିବା ସହି ଅନ୍ୟ କାହା ସହିତ ସମ୍ପର୍କ ନ ରଖିବାକୁ ସ୍ମିତାକୁ କହିଥିଲା । ଫଳରେ ଏହି ଘଟଣାକୁ ନେଇ ସ୍ମିତା ରାଗି ଯାଇଥିଲେ ଏବଂ ସ୍ମିତା ଏଭଳି ଘଟଣାକୁ ସହଜରେ ଗ୍ରହଣ ନ କରି ଆତ୍ମହତ୍ୟା କରିବା ପାଇଁ କହି ଗେଷ୍ଟ ହାଉସର ଦୁଇ ମହଲାକୁ ଚାଲି ଯାଇ ଏକ ଓଢଣୀରେ ବାଥ ରୁମରେ ଆତ୍ମହତ୍ୟା କରିଥିବା ନେଇ ଏସପି ଚରଣସିଂ ମୀନା ସୂଚନା ଦେଇଥିଲେ । ଏହି ଘଟଣାରେ ରୂପେଶଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।
ଅନ୍ୟପକ୍ଷରେ ସ୍ମିତାଙ୍କ ପିତା ସଦାନନ୍ଦ ବିଶ୍ୱାଳ ଏଭଳି ନ୍ୟାୟକୁ ସହଜରେ ଗ୍ରହଣ କରିପାରୁ ନଥିଲେ । ଯାହାକୁ ନେଇ ପରବର୍ତୀ ସମୟରେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା । ମୋ ଝିଅ ସେମିତି କିଛି କାମ କରି ନଥିବ ବୋଲି ପ୍ରକାଶ କରିବା ସହିତ ଏହାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ । କଂଗ୍ରେସ ଓ ବିଜେପି ଏହି ଘଟଣାକୁ ନେଇ ସରକାରଙ୍କୁ ସମାଲୋଚନା କରିବା ସହିତ ସିବିଆଇ ତଦନ୍ତ ଦାବି କରି ରାଜରାସ୍ତାକୁ ଓହ୍ଲାଇଥିଲେ । ଶେଷରେ ଆଜି ରୂପେଶଙ୍କ ରଙ୍ଗାଶାଳା ଭଙ୍ଗା ହେବା ଘଟଣା ଜିଲା ବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା