ସଡ଼କ ଦୁର୍ଘଟଣାରେ ବୌଦ୍ଧ ଅତିରିକ୍ତ ଜିଲାପାଳଙ୍କ ମୃତ୍ୟୁ, ଡ୍ରାଇଭର ଗୁରୁତର
ବୌଦ୍ଧ, ୨୬ ଅଗଷ୍ଟ – ୫୭ ନଂ ଜାତୀୟ ରାଜପଥର ଚାରିଛକ ନିକଟସ୍ଥ କଲରାକୋଠା ଠାରେ ଆଜି ସକାଳ ପ୍ରାୟ ୮ ଟା ସମୟରେ ଘଟିଯାଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବୌଦ୍ଧ ଅତିରିକ୍ତ ଜିଲାପାଳ ରମାକାନ୍ତ ସେଠୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଗାଡିର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଅତିରିକ୍ତ ଜିଲାପାଳ ଶ୍ରୀ ସେଠୀ ନିଜ ଛୁଟି ସରିବା ପରେ ଭୁବନେଶ୍ୱରରୁ ସରକାରୀ କାର୍ ( ନଂ- ଓଡି-୨୭ଏ-୫୨୫୧ ) ଯୋଗେ ବୌଦ୍ଧକୁ ଆସୁଥିବା ସମୟରେ ବୌଦ୍ଧ ଜିଲାର ଚାରିଛକ ନିକଟସ୍ଥ କଲରାକୋଠା ଠାରେ ଏହି ଦୁର୍ଘଟଣା ଘଟିଥିଲା ।
ଡ୍ରାଇଭର ଗାଡି ଚାଳନା ସମୟରେ ଭାରସାମ୍ୟ ହରାଇବାରୁ ଗାଡିର ପଛପାଖ ଏକ ଗଛରେ ପିଟି ହୋଇଥିଲା । ଅତିରିକ୍ତ ଜିଲାପାଳ ରମାକାନ୍ତ ସେଠୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୁଣା କଟକ ଡାକ୍ତରଖାନା ଓ ପରେ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ବୌଦ୍ଧ ଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁର୍ଘଟଣାରେ ଗାଡି ଡ୍ରାଇଭର ସୁଶାନ୍ତ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଏନେଇ ଏକ କେଶ ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଜିଲାପାଳଙ୍କ ସମତେ ଜିଲାସ୍ତରୀୟ ଅଧିକାରୀମାନେ ଡାକ୍ତରଖାନାରେ ଉପସ୍ଥିତ ରହିଥିଲେ ।