Connect with us

ଓଡିଶା

ବିଟି କଏନ୍ ଚିଟ୍ଫଣ୍ଡର ୫୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଠକେଇ

ସାଙ୍କେତିକ

ବିଟି କଏନ୍ ଚିଟ୍ଫଣ୍ଡର ୫୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଠକେଇ ପ୍ରସଙ୍ଗ : ଏଏସ୍ଆଇଙ୍କ ପତ୍ନୀ ଓ ସଂସ୍ଥାର ଜନୈକ କର୍ମଚାରୀ ଥାନାରେ ଅଟକ
ଭଦ୍ରକ, ୧୦ ଜୁନ୍ – ଭଦ୍ରକର ବହୁ ଚର୍ଚ୍ଚିତ ବିଟି କଏନ୍ (ଓକ୍ଟାମାଇନସ୍) ନାମକ ଏକ ଚିଟ୍ଫଣ୍ଡ ଜରିଆରେ ବହୁ ଲୋକଙ୍କ ଠାରୁ ପଚାଶ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଠକିନେଇ ଫେରାର ଥିବା ଜନୈକ ପୁଲିସ୍ କର୍ମଚାରୀଙ୍କ ପତ୍ନୀ ଓ ଉକ୍ତ ସଂସ୍ଥାର ଜଣେ ପ୍ରମୁଖ ବ୍ୟକ୍ତିଙ୍କୁ ଆଜି ଗ୍ରାମାଞ୍ଚଳ ଥାନା ପୁଲିସ୍ ଧରିବାରେ ସକ୍ଷମ ହୋଇଛି । ତେବେ ଅଧିକ ତଦନ୍ତର ଆବଶ୍ୟକତା ଥିବାରୁ ସେମାନଙ୍କୁ ଆଜି ପଚରାଉଚୁରା କରାଯାଇ ଆସନ୍ତାକାଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଦୟାନିଧି ଦାସ ଗଣମାଧ୍ୟମକୁ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଜମାକାରୀମାନେ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ ବି ଏହି ଠକେଇ ମାମଲାରେ ମୁଖ୍ୟ କୁହାଯାଉଥିବା ସହରାଞ୍ଚଳ ଥାନାର ଜଣେ ପୁଲିସ୍ କର୍ମଚାରୀଙ୍କ ପତ୍ନୀ ହୋଇଥିବାରୁ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଫଳରେ ବାଧ୍ୟହୋଇ ଜମାକାରୀମାନେ ପୂର୍ବଘୋଷଣା ମତେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୯ ତାରିଖରେ ଗଣଧାରଣା ଦେଇଥିଲେ । ଫଳରେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ନିଜେ ଏକ ଟିମ୍ ମାଧ୍ୟମରେ କ୍ଷେତ୍ରୀୟ ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେବା ପରେ ଏହି ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା । ତେବେ ଜିଲା ଆରକ୍ଷୀ ଅଧିକ୍ଷକ ନିଜ ପ୍ରତିଶ୍ରୁତି ରକ୍ଷା କରିବାକୁ ଯାଇ ଏକ ଟିମ୍ ମାଧ୍ୟମରେ ଆଜି ଫେରାର ଥିବା ସହରାଞ୍ଚଳ ଥାନାରେ ଏଏସ୍ଆଇ ସନ୍ତୋଷ ନାୟକଙ୍କ ପତ୍ନୀ ଶକୁନ୍ତଳା ସାହୁ ଓରଫ ସିଲି ସାହୁ ଓ ଉକ୍ତ ସଂସ୍ଥାର ପ୍ରମୁଖ ଭୂମିକା ନିଭାଉଥିବା ପ୍ରତାପ କୁମାର ବେହେରାଙ୍କୁ କାବୁ କରିଛନ୍ତି ।

ଲୋକଙ୍କ ଅଭିଯୋଗ ମୂଳେ ଭଦ୍ରକ ସହରାଞ୍ଚଳ ଥାନାରେ ଏଏସ୍ଆଇ ଭାବେ କାର୍ଯ୍ୟ କରୁଥିବା ସନ୍ତୋଷ ନାୟକଙ୍କ ପତ୍ନୀ ଶକୁନ୍ତଳା ସାହୁ ଓରଫ ସିଲି ନାୟକ ବିଟିକଏନ୍ (ଓକ୍ଟାମାଇନସ) ନାମକ ଏକ ଚିଟ୍ଫଣ୍ଡ ସଂସ୍ଥା ଜରିଆରେ ବହୁ ଜମାକାରୀଙ୍କୁ ଫସାଇ ୫୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ନେଇଥିଲେ । ଏପରିକି ଏମାନଙ୍କ ମଧ୍ୟରୁ କେତେକଙ୍କୁ ଚାକିରୀ କରାଇଦେବାର ମଧ୍ୟ ପ୍ରଲୋଭନ ଦେଇଥିବା ବିଷୟ ସହରାଞ୍ଚଳ ଥାନାରେ ଅଭିଯୋଗ ରହିଛି । ତେବେ ଶ୍ରୀମତୀ ସାହୁ ଜଣେ ପୁଲିସ୍ କର୍ମଚାରୀଙ୍କ ପତ୍ନୀ ହୋଇଥିବାରୁ ଟଙ୍କା ମାଗୁଥିବା ଜମାକାରୀମାନଙ୍କୁ ନିଜ ସ୍ୱାମୀଙ୍କ ମାଧ୍ୟମରେ ଅଶ୍ଳୀଳ ଭାଷା ପ୍ରୟୋଗ ପୂର୍ବକ ବନ୍ଧୁକ ଦ୍ୱାରା ଭୟଭୀତ କରାଯିବା ସହ ଟଣାଘୋଷରା, ହତ୍ୟା ଧମକ ଦେଇଥିବା ଭଳି ଗୁରୁତର ଅଭିଯୋଗ ଗ୍ରାମାଞ୍ଚଳ ଥାନାରେ ହୋଇଥିଲା ।

ମାତ୍ର ଗତ ୧୬ ତାରିଖରୁ ଗ୍ରାମାଞ୍ଚଳ ଥାନାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କ ସମେତ ତାଙ୍କର ସହଯୋଗୀ ବ୍ରଜସୁନ୍ଦର ମିଶ୍ର, ପ୍ରତାପ କୁମାର ବେହେରା ପ୍ରମୁଖଙ୍କୁ ଗିରଫ କରିବା ପରିବର୍ତ୍ତେ ପୁଲିସ୍ ଘଣ୍ଟ ଘୋଡାଉ ଥିବାର ଅଭିଯୋଗ ହୋଇଥିଲା । ତେବେ ଏହି ସଂସ୍ଥାର ବ୍ରଜ ସୁନ୍ଦର ମିଶ୍ର ଏବେବି ଫେରାର ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା