ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ
ଝାରସୁଗୁଡ଼ା, ୧୮ ଅପ୍ରେଲ – ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସୁରକ୍ଷାକର୍ମୀ ରାଧେଶ୍ୟାମ କିଶାନ(୩୫)ଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ବ୍ରଜରାଜନଗର ମ୍ୟୁନିସିପାଲଟିର ୪ନଂ ୱାର୍ଡ଼ରେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆଜି ଗଙ୍ଗନଗରର ଏକ ବୁଥ୍ କୁ ଯାଉଥିବା ବେଳେ ବିଜେଡ଼ି ନେତା ଓ କର୍ମୀ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ।
ବିଧାୟିକା ରାଧାରାଣୀ କହିଛନ୍ତି ଯେ, ଗଙ୍ଗନଗରରେ ବିଜେଡ଼ି ନେତା ମାନେ ବୁଥ୍ ରିଗିଙ୍ଗ କରୁଥିଲେ । ବୁଥ୍ ଭିତରକୁ ପଶି ଲୋକଙ୍କୁ ନିର୍ଦ୍ଦିଷ୍ଟ ଦଳ ସପକ୍ଷରେ ଭୋଟ୍ ଦେବା ପାଇଁ ଧମକ ଚମକ ଦେଉଥିଲେ । ଖବର ପାଇ ମୁଁ ସେଠାରେ ପହଂଚି ବିରୋଧ କରିବାରୁ ମୋ ଉପରେ ଆକ୍ରମଣ ଉଦ୍ୟମ ହୋଇଥିଲା । ଏହି ସମୟରେ ମୋର ସୁରକ୍ଷାକର୍ମୀ ରାଧେଶ୍ୟାମ ସାମ୍ନାକୁ ଚାଲିଆସିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା ।
ଏପରିକି ପୂର୍ବତନ ୪ ନଂ ୱାର୍ଡ଼ ବିଜେଡ଼ି କାଉନସିଲର ରାହୁଲ ପାଣ୍ଡେ ଓ ତାଙ୍କର କେତେକ ସମର୍ଥକ ବୁଥ୍ ନିକଟରେ ଲୋକଙ୍କୁ ଥଣ୍ଡା ପାଣି ଦେଇ ଆପାୟିତ କରିବା ସହ ଦଳ ସପକ୍ଷରେ ଭୋଟ୍ ଦେବା ପାଇଁ ପ୍ରବର୍ତାଉଥିବା ଅଭିଯୋଗ ହୋଇଥିଲା । ବିଧାୟିକାଙ୍କ ପକ୍ଷରୁ ଏନେଇ ବ୍ରଜରାଜନଗର ଥାନାରେ ଏକ ଲିଖିତ ଅଭିଯୋଗ ଦାଏର୍ କରାଯାଇଛି । ପୋଲିସ କେସ୍ ନଂ ୯୭/୧୯ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।