ପୋଖରୀରେ ବୁଡି ଭାଇ ଭଉଣୀ ମୃତ
ମାଲକାନଗିରି,୧୧ା୧ :ପୋଖରୀରେ ଗାଧୋଇବା ବେଳେ ଅସାବଧାନତାବଶତଃ ପାଣିରେ ବୁଡି ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ଗତକାଲି ଅପରାହ୍ନରୁ ଦୁହେଁ ନିଖୋଜ ଥିଲେ । ବିଳମ୍ବିତ ରାତିରେ ଦୁହିଁଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରିଥିଲେ ପରିବାର ଲୋକେ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଙ୍ଗୁରୁକୋଣ୍ଡା ପଂଚାୟତ ଅନ୍ତର୍ଗତ ସାଲିମାରିକୁଣ୍ଡା ଗ୍ରାମର ଦେବା ମାଡକାମୀଙ୍କ ଘରକୁ ତାଙ୍କ ଝିଅ ଜ୍ୱାଇଁ ବଜା ପଡିଆମି ନାତି ନରେନ ମାଡକାମୀ (୫) ନାତୁଣୀ ରାମେ ପଡିଆମି (୮) ବୁଲିବାକୁ ଆସିଥିଲେ । ଜ୍ୱାଇଁ ବଜା ପଡିଆମିଙ୍କ ଘର ଚିତ୍ରାଙ୍ଗପାଲି ପଂଚାୟତ ଅନ୍ତର୍ଗତ ଉସକାପାଲି ଗ୍ରାମରେ ।
ଗତକାଲି ଅପରାହ୍ନରେ ନାତି ନରେନ ଓ ନାତୁଣୀ ରାମେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଗଭୀର ପାଣି ମଧ୍ୟକୁ ଗୋଡ ଖସିଯିବାରୁ ଭାଇ ଭଉଣୀ ପୋଖରୀରେ ବୁଡି ଯାଇଥିଲେ । ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରି ନିରାଶ ହୋଇଥିଲେ । ଗତକାଲି ବିଳମ୍ବିତ ରାତିରେ ଦୁହିଁଙ୍କ ମୃତଦେହ ଗାଁ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ପରିବାର ଲୋକେ ଶବ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । କାଲିମେଳା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।
ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ସକାଳୁ ସକାଳୁ ଦୁଇ ଶିଶୁଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।