ଚନ୍ଦନପୁର (ପୁରୀ ) :- ଗଞ୍ଜାମର ଇଚ୍ଛାପୁରରୁ ପୁରୀ ମହୋଦଧିରେ ନିଜ ସମ୍ପର୍କୀୟ ମାନଙ୍କ ଙ୍କ ଅସ୍ଥି ବିସର୍ଜନ କରିବା ପାଇଁ ଭ୍ୟାନରେ ପ୍ରାୟ ୨୦ ଜଣ ପୁରୀ ଅଭିମୁଖେ ବାହାରିଥିଲେ । ପିତୃପକ୍ଷ ଅବସରରେ ଅସ୍ଥି ବିସର୍ଜନ କରି ମହୋଦଧିରେ ପିଣ୍ଡଦାନ କରି ଜଗନ୍ନାଥ ଦର୍ଶନ କରିବା ଥିଲା ସେମାନଙ୍କର ଉଦ୍ଦେଶ୍ୟ । ମାତ୍ର ନିୟତି ଆଉକିଛି ଚାହୁଁଥିଲା । ପୁରୀ ଆସୁଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତମାନଙ୍କୁ ଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସ୍ଥାନୀୟ ସୂଚନା ଅନୁସାରେ , ଭୋର ୫ଟା ସମୟରେ ଇଚ୍ଛାପୁର ନିକଟସ୍ଥ ଜରଡ଼ା ଥାନା ଅନ୍ତର୍ଗତ ଲାଲ କମଙ୍ଗା ଗ୍ରାମର କିଛି ଲୋକ ଅସ୍ଥି ବିସର୍ଜନ ପାଇଁ ନିଜ ସମ୍ପର୍କୀୟମାନଙ୍କୁ ଧରି ଏକ ଭ୍ୟାନରେ ପୁରୀ ବାହାରିଥିଲେ । ଜାତୀୟ ରାଜପଥର ରାମେଶ୍ୱର ଛକରୁ ନୂଆ ଜଗନ୍ନାଥ ସଡ଼କ ଦେଇ ପୁରୀ ଆସୁଥିବା ବେଳେ ଚନ୍ଦନପୁର ଥାନା ଅନ୍ତର୍ଗତ ରୁଆ ଗ୍ରାମ ନିକଟରେ ଭ୍ୟାନ୍ଟି ଭାରସାମ୍ୟ ହରାଇ ଓଲଟିଯାଇ ନୟନଯୋରୀରେ ମଧ୍ୟରେ ପଡିଥିଲା । ଫଳରେ ଏଥିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ କ୍ଷମାବତୀ,କେ.କୃଷ୍ଣା, ଜଗଦୀଶ, ଅନବ ଓ ୟମାବତି ନାମକ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।