ସିଲେରୁ ନଦୀରେ ଡ଼ଙ୍ଗା ବୁଡି ଶିଶୁକନ୍ୟା ମୃତ, ୨ ନିଖୋଜ
ମାଲକାନଗିରି, ୩ ଜୁନ୍ – ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କୁର୍ମାନୁର ପଂଚାୟତ ନିକଟ ଦେଇ ବୋହିଯାଇଥିବା ସିଲେରୁ ନଦୀରେ ରବିବାର ଅପରାହ୍ନରେ ଡ଼ଙ୍ଗା ବୁଡି ଜଣେ ଦୁଇ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ଘଟଣା ପରେ ଅନ୍ୟ ଦୁଇ ଜଣ ନିଖୋଜ ଅଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ଆନ୍ଧ୍ରପ୍ରଦେଶ ସିଲେରୁ ଠାରେ ସାପ୍ତାହିକ ହାଟ ଥିବାରୁ କୁର୍ମାନୁର ପଂଚାୟତ ବଚଲୁର ଗ୍ରାମର ସତୀ ବାବୁ, ତାଙ୍କ ପତ୍ନୀ ପାର୍ବତୀ ଓ ୨ ବର୍ଷର ଶିଶୁକନ୍ୟା ଦିବ୍ୟଶ୍ରୀଙ୍କ ସହିତ କ୍ରିଷ୍ଣା ବେଣି ଏବଂ ପଲାସି କୁରୁମା ପ୍ରମୁଖ ହାଟ କରିବାକୁ ଯାଇଥିଲେ । ହାଟ ସାରି ଅପରାହ୍ନରେ ପାଙ୍ଗାମପାଡୁବଙ୍ଗାଳି କ୍ୟାମ୍ପ ଠାରୁ ଦେଶୀ ଡ଼ଙ୍ଗାରେ ସିଲେରୁ ନଦୀ ପାର୍ ହୋଇ ନିଜ ଗ୍ରାମ ବଚଲୁର ଫେରୁଥିବା ବେଳେ କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ ହେବାରୁ ଭାରସାମ୍ୟ ହରାଇ ଡ଼ଙ୍ଗାଟି ମଝି ନଦୀରେ ବୁଡି ଯାଇଥିଲା । ଫଳରେ ଡ଼ଙ୍ଗାରେ ବସିଥିବା ୫ ଜଣ ପାଣିରେ ବୁଡି ଯାଇଥିଲେ । ସତୀ ବାବୁ, ତାଙ୍କ ପତ୍ନୀ ପାର୍ବତୀ ବହୁ କଷ୍ଟରେ ପହଁରି ପହଁରି ଜୀବନ ବଂଚାଇ କୂଳକୁ ଆସିଥିଲେ । ହେଲେ ତାଙ୍କର ଦୁଇ ବର୍ଷର ଶିଶୁକନ୍ୟା ଏବଂ ଡ଼ଙ୍ଗାରେ ସବାର ଥିବା ଅନ୍ୟ ଦୁଇ ଜଣ ନିଖୋଜ ହୋଇଯାଇଥିଲେ ।
ଖବର ପାଇ ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରି ଶିଶୁକନ୍ୟାର ମୃତଦେହ ଠାବ କରିଥିଲେ । କିନ୍ତୁ, ଅଦ୍ୟାବଧି କ୍ରିଷ୍ଣା ଏବଂ ପଲାସି ନିଖୋଜ ଅଛନ୍ତି । ଅନ୍ୟପକ୍ଷରେ ଘଟଣାର ୨୪ ଘଂଟା ବିତି ଯାଇଥିଲେ ସୁଦ୍ଧା ଚିତ୍ରକୋଣ୍ଡାରୁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ପ୍ରକାଶ ଥାଉ କି, ଗତ ୩ ବର୍ଷ ମଧ୍ୟରେ ଏହି ନଦୀରେ ବିଭିନ୍ନ ସମୟରେ ଡ଼ଙ୍ଗା ବୁଡି ପ୍ରାୟ ୧୨ରୁ ଉଦ୍ଧ୍ୱର୍ ଲୋକଙ୍କ ଜୀବନ ହାନି ଘଟିଲାଣି । ତେବେ ପ୍ରଶାସନ ଚେତୁ ନଥିବା କାରଣରୁ ଏଭଳି ଘଟଣା ବାରମ୍ବାର ଘଟି ଚାଲିଥିବା ଅଭିଯୋଗ ହେଉଛି ।