ମହିଳା ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ
ମାସକ ପରେ ଥାନାକୁ ଆସିଲା ମାମଲା
ରାଉରକେଲା,୨୦ ସେପ୍ଟେମ୍ବର -ରାଜଗାଙ୍ଗପୁର ନିକଟ ସରବତୀଦେବୀ ମହାବିଦ୍ୟାଳୟର ଜଣେ ଚତୁର୍ଥଶ୍ରେଣୀ ମହିଳା କର୍ମଚାରୀଙ୍କୁ ଦିର୍ଘଦିନ ଧରି ସେହି କଲେଜର କିରାଣୀ ନିୟମିତ ଯୌନ ନିର୍ଯ୍ୟାତନା ଦେବା, ଜଣେ ଅଧ୍ୟାପକ ତାଙ୍କୁ ଆଦିବାସୀ କହି ଗାଳିଗୁଲଜ କରିବା ମାମଲା ନେଇ ସେ କଲେଜର ଅଧ୍ୟକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ୱେ କୌଣସି ସୁଫଳ ନମିଳିବାରୁ ମାସେ ତଳେ ସୁନ୍ଦରଗଡ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ତଥାପି ନ୍ୟାୟ ନମିଳିବାରୁ ଆଜି ପୁଣି ରାଜଗାଙ୍ଗପୁର ଥାନାରେ ଏନେଇ ତାଙ୍କୁ ଏତଲା ଦେବାକୁ ପଡିଛିି ।
ଅଭିଯୋଗ ଅନୁଯାୟୀ, ସେହି କଲେଜର ସମ୍ପୃକ୍ତ ମହିଳା କର୍ମଚାରୀ ଜଣକ ୨୦୧୪ରୁ କଲେଜରେ ୭ ହଜାର ଟଙ୍କାରେ କାମ କରୁଥିଲେ । ତେବେ କାମ କରିବା ଭିତରେ କଲେଜର କିରାଣୀ ପାଣୁ ଚରଣ ପାଇକରାୟ କୁଆଡେ ତାଙ୍କୁ ସୁଯୋଗ ନେଇ ପଛପଟୁ ଭିଡି ଧରିବା, ଅନିଚ୍ଛା ସତ୍ୱେ ଚୁମା ଦେବା ଭଳି କାମ କରିଚାଲିଥିଲେ । ଦରମା ବିଳମ୍ବ ହେଲେ କହିବାକୁ ଗଲେ ପାଣୁ କହୁଥିଲେ ମୋ ଦୁଃଖ ବୁଝୁନାହୁଁ ସେସବୁ ବୁଝିଦେଲେ ତୋ ଦରମା ମଧ୍ୟ ବଢାଇ ଦେବି, ଏଥିସହ ସବୁବେଳେ ଅଶ୍ଳିଳ ଇଙ୍ଗିତ କରି ଶାରିରୀକ ସଂପର୍କ ରଖିବାକୁ ଚାହୁଁଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି ।ଏହାର ପ୍ରତିବାଦ କରି ମହିଳା ଜଣକ ତାଙ୍କୁ ଚେତାଇ ଦେବା ସହ କହୁଥିଲେ ମୁଁ ତୁମର ଝିଅ ବୟସର ମୋତେ ଏମିତି କୁହନ୍ତୁ ନାହିଁ । ତଥାପି ନିୟମିତ ତାଙ୍କୁ ଏଭଳି ଶାରିରୀକ ଓ ମାନସିକ ନିର୍ଯାତନା ସହିବାକୁ ପଡୁଥିବା ଏବଂ ଏଥିରେ ଅତିଷ୍ଠ ହୋଇ ଶେଷରେ ସେ ଥାନାରେ ଏତଲା କରିବାକୁ ବାଧ୍ୟ ହୋଇଥିବା ଅଭିଯୋଗ ଫର୍ଦରେ ଉଲ୍ଲେଖ କରିଛନ୍ତି ।
ଏହା ଛଡା ସେ ଲେଖିଛନ୍ତି ଯେ, ସେହି କଲେକର ଅଧ୍ୟାପକ ସପନ କୁମାର ପଣ୍ଡା ତାଙ୍କୁ ଆଦିବାସୀ କହି ନାନା ଭର୍ତ୍ସନା କରୁଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦ୍ରମଣି ପଟେଲ କଲେଜରେ ବସି ମଦ୍ୟପାନ କରିବା ସହ ପାଟି ତୁଣ୍ଡ କରି ଭିନ୍ନ ପରିବେଶ ସୃଷ୍ଟି କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏହି ସବୁ ଅଭିଯୋଗ ନେଇ ପୀଡ଼ିତା ଏକ ମାସ ତଳେ ସୁନ୍ଦରଗଡ଼ ଏସପିଙ୍କ ନିକଟରେ ଅନଲାଇନରେ ଅଭିଯୋଗ କରିଥିଲେ । ପରେ ସୁନ୍ଦରଗଡ଼ ଏସପି ତାଙ୍କୁ ଯୋଗାଯୋଗ କରିବା ସହ କୁତ୍ରା ଥାନାରୁ ଅଫିସର ଯାଇ ମାମଲା ସଂପର୍କରେ ବୁଝିଥିଲେ । ହେଲେ ଏକ ମାସ ଭିତରେ ପୁଲିସ ତାଙ୍କୁ କ’ଣ ନ୍ୟାୟଦେଲା ତାହା ଜାଣିବା ଲାଗି ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ବି ତାହା ସମ୍ଭବ ହୋଇନଥିଲା । ଇତି ମଧ୍ୟରେ ଏକ ମାସ ବିତିଯିବା ପରେ ଏହାକୁ ନେଇ କେତେକ ସାମ୍ବାଦିକ ଖୋଳତାଡ଼ କରିବା ସହ କେତେକ ଯାଗାରେ ଖବର ପ୍ରସାରଣ ହେବା ପରେ କଲେଜର ଅଧ୍ୟକ୍ଷ ଗତକାଲି ୩ ଜଣ ସାମ୍ବାଦିକ ତାଙ୍କୁ ବ୍ଲାକମେଲ କରୁଥିବା ନେଇ ରାଜଗାଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ।
ଅଭିଯୋଗ ପତ୍ରରେ ଅଧ୍ୟକ୍ଷ ଶ୍ରୀ ପଟେଲ ଏହି ଖବର ପ୍ରସାରଣ ବନ୍ଦ ରଖିବା ଲାଗି ତାଙ୍କୁ ୯୦ ହଜାର ମଗାଯାଇଥିବା ଦର୍ଶାଇଛନ୍ତି । ଅଧ୍ୟକ୍ଷଙ୍କ ଅଭିଯୋଗକୁ ଭିତି କରି ରାଜଗାଙ୍ଗପୁର ପୁଲିସ ଏନେଇ ୩ ଜଣ ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଯେଉଁ ମାମଲା ନେଇ ଏତେ କଥା ମାସେ କାଳ ସେ ମାମଲା ନେଇ ପୀଡ଼ିତା ପୁଣି ଆଜି ରାଜଗାଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୁଲିସର ଅବହେଳା ଦ୍ୱାରା ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ସୁରକ୍ଷା ଦେବା ଲାଗି କଲେଜ ଅଧ୍ୟକ୍ଷ ଗଣମାଧ୍ୟମର କଣ୍ଠରୋଧ ଲାଗି ଉଦ୍ୟମ କରି ସଫଳ ହେଲେ ବୋଲି ସାମ୍ବାଦିକ ମାନେ ଅଭିଯୋଗ କରୁଛନ୍ତି ।
ଅନ୍ୟପକ୍ଷରେ କଲେଜର ମହିଳା କର୍ମଚାରୀ ଯଦି ସୁରକ୍ଷିତ ନୁହଁନ୍ତି, ତେବେ ସେଠାରେ ଅଧ୍ୟୟନରତ ଛାତ୍ରୀ ମାନେ କେତେ ସୁରକ୍ଷିତ ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ଘଟଣାର ନିରପେକ୍ଷ ତଦନ୍ତ ହେଲେ ଅନେକ ଅନାଲୋଚିତ ତଥ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।