୪ ପତ୍ନୀଙ୍କ ସ୍ୱାମୀ କଲେ ଆତ୍ମହତ୍ୟା
ଭଦ୍ରକ, ୨୬ ଅକ୍ଟୋବର – ପାରିବାରିକ ଅଶାନ୍ତିକୁ ନେଇ ଶେଷରେ ଆତ୍ମହତ୍ୟା କରିଛନ୍ତି ୪ ଜଣ ପତ୍ନୀଙ୍କ ସ୍ୱାମୀ । ମୃତକ ଜଣକ ହେଲେ ଭଦ୍ରକ ବ୍ଲକ୍ ଅଧୀନସ୍ଥ ବେନ୍ତାଳ ପଂଚାୟତର ଅଜୟ ଦାସ । ସେ ଜଣେ ଇଲେକ୍ଟ୍ରି ମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି । ଅଜୟଙ୍କ ୪ର୍ଥ ପତ୍ନୀଙ୍କ ଅଭିଯୋଗ ଆଧାରରେ ଭଦ୍ରକ ଗ୍ରାମାଂଚଳ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ପ୍ରାପ୍ତ ସୂଚନା ମୁତାବକ ଅଜୟ ପୂର୍ବରୁ ୩ ଜଣ ମହିଳାଙ୍କୁ ବିବାହ କରିଥିବାବେଳେ ୧୧ ମାସ ପୂର୍ବେ ୪ର୍ଥ ପତ୍ନୀ ଗ୍ରହଣ କରିଥିଲେ । ଗତକାଲି ସକାଳେ କୌଣସି କାରଣକୁ ନେଇ ଅଜୟଙ୍କ ସହ ତାଙ୍କ ୪ର୍ଥ ପତ୍ନୀଙ୍କ ଝଗଡା ହୋଇଥିଲା । ତାଙ୍କୁ ଅନ୍ଧାରରେ ରଖି କାହିଁକି ସେ ୪ର୍ଥ ବିବାହ କରିଛନ୍ତି ବୋଲି ପଚାରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଅଜୟ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବାର ଦେଖିଥିଲେ ୪ର୍ଥ ପତ୍ନୀ ।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଂଚି ଅଜୟଙ୍କ ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।