Connect with us

ଓଡିଶା

ସ୍ୱାସ୍ଥ୍ୟବିଭାଗର ଅସ୍ଥାୟୀ କର୍ମଚାରୀଙ୍କୁ ଦଲାଲ କହି ଉଠାଇନେଲା ପୁଲିସ

ସାଙ୍କେତିକ

ସ୍ୱାସ୍ଥ୍ୟବିଭାଗର ଅସ୍ଥାୟୀ କର୍ମଚାରୀଙ୍କୁ ଦଲାଲ କହି ଉଠାଇନେଲା ପୁଲିସ
ଧାରଣାରେ ବସିଲେ ଅସ୍ଥାୟୀ କର୍ମଚାରୀ, ରୋଗୀସେବା ପ୍ରଭାବିତ
ଭଦ୍ରକ,୨ ଅକ୍ଟୋବର – ମେଡିକାଲ ଓ ଆରଟିଓ ଅଫିସକୁ ଦଲାଲମୁକ୍ତ କରିବା ଲାଗି ସରକାରଙ୍କ ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ବ୍ୟାକୁଳ ହୋଇଛି ପୁଲିସ ପ୍ରଶାସନ । ମେଡିକାଲକୁ ଦଲାଲମୁକ୍ତ କରିବା ଲାଗି ପୁଲିସର କଥିତ ଉଦ୍ୟମ ଭଦ୍ରକରେ ଭିନ୍ନ ଚର୍ଚା ସୃଷ୍ଟି କରିଛି ।

ଆଜି ଅପରାହ୍ନରେ ଭଦ୍ରକ ମେଡିକାଲର ଜଣେ ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପୁଲିସ ଦଲାଲ କହି ଉଠାଇ ନେଇଛି । ଏହାକୁ ନେଇ ସଂଧ୍ୟାପରେ ମେଡିକାଲରେ କାର୍ଯ୍ୟରତ ଥିବା ସମସ୍ତ ଅସ୍ଥାୟୀ କର୍ମଚାରୀ ମେଡିକାଲ ପରିସରରେ ଧାରଣାରେ ବସିବା ସହ ତୁରନ୍ତ ଉକ୍ତ କର୍ମଚାରୀଙ୍କୁ ଛାଡିବା ଲାଗି ଦାବି କରିଛନ୍ତି । ଏପଟେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଏ ସମ୍ପର୍କରେ ଜିଲା ପ୍ରଶାସନ ସହିତ ଆଲୋଚନା କରି ବିଫଳ ହୋଇଛନ୍ତି । ପ୍ରତିବାଦ ପୂର୍ବକ ଅସନ୍ତୁଷ୍ଟ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା ଯୋଗୁ ରୋଗୀସେବା ପ୍ରବାଭିତ ହୋଇଛି ।

ପୁଲିସ ଉଠାଇ ନେଇଥିବା ଅସ୍ଥାୟୀ କର୍ମଚାରୀ ହେଲେ ଅଜୟ ଭଟ୍ଟାଚାର୍ଯ୍ୟ । ଆଜି ସେ ଆଉଟ ଡୋରରେ ଜଣେ ଡାକ୍ତରଙ୍କ ପାଖେ ଆଟେଣ୍ଡାଂଟ ଭାବେ କାର୍ଯ୍ୟ କରୁଥିଲେ । ସରକାର ସର୍ଭିସ ପ୍ରୋଭାଇଡରଙ୍କ ଜରିଆରେ ମେଡିକାଲରେ ଅସ୍ଥାୟୀ କର୍ମଚାରୀ ନିୟୋଜନ କରିଛନ୍ତି । ଅଜୟ ସେମାନଙ୍କ ମଧ୍ୟରୁ ଜଣେ । ଅଜୟଙ୍କ ବିରୋଧରେ ନିର୍ଦ୍ଦିଷ୍ଟ କିଛି ଅଭିଯୋଗ ଜିଲା ପୁଲିସ କାର୍ଯ୍ୟାଳୟରେ ପହଂଚିଥିଲା । ଉପରୁ ନିର୍ଦ୍ଦେଶ କ୍ରମେ ଟାଉନ ପୁଲିସ ଉକ୍ତ କର୍ମଚାରୀଙ୍କୁ ମେଡିକାଲ ଭିତରୁ ଉଠାଇ ଆଣିଥିଲେ । ଏହାପରେ ଅସ୍ଥାୟୀ କର୍ମଚାରୀମାନେ ସିଡିଏମଓ ଓ ଏଡିଏମଓଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅଧିକାରୀମାନେ ଜିଲାପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ ବି ସମ୍ପୃକ୍ତ କର୍ମଚାରୀଙ୍କୁ ପୁଲିସ ହେଫାଜତରୁ ଅଣାଯାଇ ପାରିନଥିଲା । ପରେ ଅନ୍ୟୋପାୟ ନପାଇ ଅସ୍ଥାୟୀ କର୍ମଚାରୀମାନେ ମେଡିକାଲ ଭିତରେ ଧାରଣାରେ ବସିଛନ୍ତି ।

ସିଡିଏମଓଙ୍କୁ ଅଧୀନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଦାୟିତ୍ୱ ସିଡିଏମଓଙ୍କର ହୋଇଥିବା ବେଳେ ପୁଲିସ କାହାର ଅଭିଯୋଗ ମୂଳେ ଦଲାଲ କହି ଉଠାଇନେବା କେତେଦୂର ସମୀଚୀନ ବୋଲି ପ୍ରଶ୍ନ କରିଛନ୍ତି ଅସ୍ଥାୟୀ କର୍ମଚାରୀ । ଯଦି କାଲି ସକାଳେ କେହି ଡାକ୍ତରଙ୍କ ‘ଔଷଧ ଚିଠା’(ନିର୍ଦ୍ଦିଷ୍ଟ ଦୋକାନରେ ଉପଲବ୍ଧ ଔଷଧ) କୁ ନେଇ ଅଭିଯୋଗ କଲା ତେବେ ପୁଲିସ ସିଧାସଳଖ ଉକ୍ତ ଡାକ୍ତରଙ୍କୁ ବାନ୍ଧିବ ନା ସିଡିଏମଓଙ୍କ ଏତଲାକୁ ଅପେକ୍ଷା ରଖିବ ବୋଲି ପ୍ରଶ୍ନ କରିଛନ୍ତି ଅସ୍ଥାୟୀ କର୍ମଚାରୀ ।

ତେବେ ଏହି ରିପୋର୍ଟ ଲେଖାହେବା ଯାଏ (ରାତି 10ଟା) ଟାଉନ ଥାନା ପୁଲିସ ଉକ୍ତ କର୍ମଚାରୀଙ୍କୁ ନିଜ ହେଫାଜତରେ ରଖିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା