ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତକୁ ୪ ବର୍ଷ ଜେଲ୍
ଭଦ୍ରକ, ୧ ଅକ୍ଟୋବର – ଭଦ୍ରକରେ ଥିବା ବନ୍ଧନ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ ଯୁବକକୁ ଆଜି ଭଦ୍ରକର ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଅମୀୟ ରଂଜନ ଜେନା ଚାରିବର୍ଷ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି ।
ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକରେ ଥିବା ବନ୍ଧନ ବ୍ୟାଙ୍କରୁ ଭଣ୍ଡାରିପୋଖରୀ ଅଂଚଳର ରବିନ୍ଦ୍ର ଜେନାଙ୍କ ପତ୍ନୀ ରଶ୍ମିତା ଏକ ଋଣ ନେଇଥିଲେ । କିସ୍ତି ଟଙ୍କା ଆଦାୟ କରିବାକୁ ଗତ ୨୦୧୭ ମସିହାରେ ବ୍ୟାଙ୍କ ପରିଚାଳକ ମାନସ ରଂଜନ କର ତାଙ୍କ ଘରକୁ ଯାଇଥିଲେ । ସେଠାରେ ଉକ୍ତ ଦମ୍ପତିଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଥିଲା । ଫଳରେ ରବିନ୍ଦ୍ର ପରିଚାଳକ ଶ୍ରୀ କରଙ୍କୁ ଏକ ଲୁହାରଡରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ଶ୍ରୀ କର ଭଣ୍ଡାରିପୋଖରୀ ଥାନାରେ ଏକ ଏତଲା ଦେବାପରେ ପୁଲିସ୍ ଘଟଣାର ତଦନ୍ତ କରି ମୁଦାଲାଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରିଥିଲେ ।
ଆଜି ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଅମୀୟ ରଂଜନ ଜେନାଙ୍କ କୋର୍ଟରେ ଉକ୍ତ ମାମଲାର ବିଚାର ହୋଇ ମୁଦାଲା ରବିନ୍ଦ୍ରଙ୍କୁ ଉପରୋକ୍ତ ଦଣ୍ଡାଦେଶ ହୋଇଛି । ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ଯତିକାନ୍ତ ନାୟକ ପରିଚାଳନା କରୁଥିଲେ ।