
ବେସରକାରୀ ହସପିଟାଲ ମାନଙ୍କର ଦାଦାଗିରି ଓ ଦୁର୍ବ୍ୟବହାର ପ୍ରସଙ୍ଗ ପୁଣି ବିଧାନସଭାରେ ଉଠିଲା
ଭୁୁବନେଶ୍ୱର, ୦୧ ଜୁଲାଇ – ବେସରକାରୀ ହସପିଟାଲ ମାନଙ୍କରେ ଲୋକ ମାନଙ୍କୁ ଶୋଷଣ କରା ଯିବା ସହ ସୁପ୍ରିମକୋର୍ଟର ନିର୍ଦେଶକୁ ନ ମାନିବା ଓ ଜନ ପ୍ରତିନିଧି ମାନଙ୍କ ସହ ଖରାପ ବ୍ୟବହାର କରା ଯିବା ପ୍ରସଙ୍ଗକୁ ଉଠାଇଥିଲେ ବିରୋଧୀ ଦଳର ସଚେତକ ମୋହନ ମାଝୀ ।
ଗୃହ କାର୍ଯ୍ୟ ସ୍ୱାଭବିକ ହେବା ମାତ୍ରେ ଶ୍ରୀ ମାଝୀ ଏହି ପ୍ରସଙ୍ଗ ଉତଥାପନ କରି କହି ଥିଲେ କୌଣସି ହସପିଟାଲରେ କାହାରି ମୃତ୍ୟୁ ଘଟିବା ପରେ ମୃତ ଶରୀରକୁ ତାଙ୍କର ପରିବାରବର୍ଗକୁ ହସ୍ତାନ୍ତର କରିବାରେ ହସପିଟାଲ କର୍ତୃପକ୍ଷ କୌଣସି ପ୍ରକାର ବିଳମ୍ବ କରି ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟର ନିର୍ଦେଶ ରହିଛି । ଶୁକ୍ରବାର ଦିନ ବିରୋଧୀ ଦଳର ନେତା ଆପୋଲୋ ହସପିଟାଲରେ ଅର୍ଥ ପାଇଁ ଶବକୁ ନ ଦେବା ସମ୍ପର୍କୀୟ ଘଟଣା ସମ୍ପର୍କରେ ଉଲ୍ଲେଖ କଲାବେଳେ ସୁପ୍ରିମକୋର୍ଟର ନିର୍ଦେଶନାମା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହାର ଗୋଟିଏ ଦିନ ପରେ ଶନିବାର ଦିନ ଆଉ ଏକ ବେସରକାରୀ ହସପିଟାଲ କଳିଙ୍ଗ ହସପିଟାଲ କେନ୍ଦୁଝର ଝୁମ୍ପୁରା ବ୍ଲକର ନାରଦପୁର ଗାଁର ଜଣେ ଯୁବକଙ୍କ ମୃତ ଶରୀର ଅର୍ଥ ପୈଠ ନ କଲେ ଦେବାକୁ ମନା କରି ଦେଇଥିଲା । ଏ ସମ୍ପର୍କରେ ସେ ସୂଚନା ପାଇବା ମାତ୍ରେ ସେ ସେଠାରେ ପହଂଚିଥିଲେ । ମାତ୍ର କଳିଙ୍ଗ ହସପିଟାଲ କର୍ତୃପକ୍ଷ ଅର୍ଥ ନ ପ୍ରଦାନ କଲେ କୌଣସି ମତେ ଶବ ହସ୍ତାନ୍ତର କରିବେ ନାହିଁ ବୋଲି କହିବା ସହ ତାଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଦୀର୍ଘ ଆଠ ଘଂଟା ପରେ ଶେଷରେ ଅର୍ଥ ପୈଠ କରିବା ପରେ ହିଁ ସେମାନେ ଶବକୁ ପରିବାର ବର୍ଗକୁ ହସ୍ତାନ୍ତର କରିଥିଲେ । ଏ ବାବଦରେ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ ଅବଗତ କରିବା ପରେ ସେ ଏହି ମାମଲାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ତେଣୁ ସେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଶ୍ରୀ ମାଝି କହିଥିଲେ ଯେ ଏହିପରି ମାମଲା ଉପରେ ରୋକ ଲଗାଇବା ତଥା ଜନ ପ୍ରତନିଧି ମାନଙ୍କୁ ବିଭିନ୍ନ ହସପିଟାଲ କର୍ତୃପକ୍ଷ କିପରି ସମ୍ମାନର ସହ କଥାବାର୍ତା କରିବେ ସେ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ରୁଲିଂ ଦେବାକୁ ସେ ବାଚସ୍ପତି ଶ୍ରୀ ପାତ୍ରଙ୍କୁ ଅନୁରୋଧ କରିଥିଲେ ।
ଏହାର ଉତରରେ ଶ୍ରୀ ପାତ୍ର କହିଥିଲେ ଯେ ଏଭଳି ପ୍ରସଙ୍ଗ ବାରମ୍ବାର ଆସୁଥିବା କାରଣରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ତାଙ୍କ ବିଭାଗର ଅଧିକାରୀ ମାନଙ୍କୁ ନେଇ ଏକ କମିଟି କରନ୍ତୁ ।
