
ବିଧାୟକଙ୍କୁ ଟାର୍ଗେଟ୍ ମାମଲା
୨୪ ଘଂଟା ବିତିଲା, ପୁଲିସ ହାତ ଖାଲି
ରାଉରକେଲା, ୧୩ ଅଗଷ୍ଟ – ରାଉରକେଲା ବିଧାନସଭାର ସଦସ୍ୟ ତଥା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଉଦ୍ଦେଶ୍ୟରେ ଏକ ଧମକପୂର୍ଣ୍ଣ ଚିଠି ଗତକାଲି ଜଗଦା ଖାଦାନ ଟୋଲାରେ ରହୁଥିବା ଖଗେନ୍ଦ୍ର ଦାସଙ୍କ ଘର କାନ୍ଥରେ ମରାଜିବା ଘଟଣାକୁ ୨୪ଘଂଟା ବିତି ଯାଇଥିଲେ ସୁଦ୍ଧା ଝିରିପାଣି ପୁଲିସ ହାତ ଖାଲି ରହିଥିବା ଜଣାପଡିଛି ।
ଗତ କାଲି ଶ୍ରୀ ଦାସଙ୍କ ଘର କାନ୍ଥରେ ଏକ ହାତଲେଖା ଚିଠିରେ ବିଧାୟକଙ୍କ ଠାରୁ ୧ କୋଟି ଟଙ୍କା ଆଣି ସାରନା ଛକରେ ଥିବା କୁରୁପା ହୋଟେଲରେ ଦେବା ଲାଗି ଖଗେନ୍ଦ୍ରଙ୍କୁ ଧମକ ଦିଆଯାଇଥିଲା । ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ତେବେ ପୁଲିସ ଉଭୟ କୁରୁପା ଓ ଖଗେନ୍ଦ୍ରଙ୍କୁ ପଚରା ଉଚରା କରିଥବା ବେଳେ ଏ ନେଇ କାହାରିକୁ ଗିରଫ କରି ନାହିଁ । ସବୁଠୁ ବଡ କଥା ହେଲା ଯେଉଁ ଲୋକ ଏଭଳି କାମ କରିଛି ସେ ଏହି ଦୁଇ ଜଣଙ୍କୁ ଭଲଭାବେ ଚିହ୍ନିଛି ନିଶ୍ଚୟ । ଅନ୍ୟପକ୍ଷରେ ଖଗେନ୍ଦ୍ର ବାବୁଙ୍କ ସହ ସାରଦା ବାବୁଙ୍କର ସଂପର୍କ କଣ ତାହା ମଧ୍ୟ କିଛି ପରିମାଣରେ ଏହି ଚିଠି ଲେଖା ବାବୁଙ୍କୁ ନିଶ୍ଚୟ ଜଣା ଥିବ । ତେବେ ପୁଲିସ ଏହି ଦୁଇ ଜଣଙ୍କୁ ଭଲ ଭାବେ ପଚରା ଉଚରା କରିଥିଲେ କଥା ଅତି ସହଜରେ ପଦାକୁ ଆସିଯିବା କଥା ବୋଲି କେତେକ ଅବସର ପ୍ରାପ୍ତ ପୁଲିସ ଅଧିକାରୀ କହୁଥିବା ବେଳେ, ଏ ଅଂଚଳ ମାଓ ପ୍ରଭାବିତ ଇଲାକା ହୋଇଥିବାରୁ ମାମଲାକୁ ଧିରେ ଧିରେ ଆଗକୁ ନେବାହିଁ ଠିକ୍ ହେବବୋଲି କେତେକ ମତ ଦେଇଛନ୍ତି । ତା ଛଡା ରାଜନୀତିରେ ସାରଦା ବାବୁଙ୍କ ସହ ଆଗରୁ ଥିବା ଅନେକ ଲୋକ ଦୂରେଇ ଯାଇଥିବା ବେଳେ ପଚାଂୟତ ନିର୍ବାଚନ ବେଳେ ଜଗଦା ପାଖ ଝିରିପାଣିରେ ଲୋକେ ସାରଦାଙ୍କୁ ଯେଉଁଭଳି ବିରୋଧ କରିଥିଲେ ସେଥିରୁ ଅନୁମାନ କରାଯାଇପାରେ ତାଙ୍କର ସେ ଅଂଚଳରେ କେତେ ବିରୋଧୀ ରହିଛନ୍ତି । ତାଭିତରେ ହୁଏ ତ ଖଗେନ୍ଦ୍ର ବାବୁ ସାରଦାଙ୍କର ଅତି ନିଜ ଲୋକ ହୋଇ ପାରନ୍ତି, ସେଥିଲାଗି ତାଙ୍କ କାନ୍ଥରେ ଏହି ଚିଠି ଲାଗିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କାରଣ ସେହି ପାଖା ପାଖି ଅନେକ ବିଜେଡି ଲୋକ ନେତାଙ୍କ ଘର ମଧ୍ୟ ରହିଛି, କିନ୍ତୁ ସେମାନଙ୍କ କାନ୍ଥରେ ଏ ଚିଠି ନଲାଗିବା ନେଇ ନାନା କଥା ଏବେ ଆଲୋଚନାକୁ ଖୋରାକ୍ ଯୋଗାଇଛି ।
