ବାଇକ୍ ଲୁଟେରା ଝାମ୍ପିନେଲେ ୪ ଲକ୍ଷ ଟଙ୍କା
ଭଦ୍ରକ, ୧ ଅକ୍ଟୋବର – ଭଦ୍ରକ ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଆନନ୍ଦ ଜେନାଙ୍କ ଠାରୁ ଦୁଇଜଣ ବାଇକ୍ ଲୁଟେରା ୪ ଲକ୍ଷ ଟଙ୍କା ଲୁଟିନେଇଥିବାର ଅଭିଯୋଗ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ସହରାଞ୍ଚଳ ଥାନା ଅଧୀନସ୍ଥ ଚାରିଘରିଆ ଅଂଚଳର ଅବସରପ୍ରାପ୍ତ କର୍ମଚାରୀ ଆନନ୍ଦ ଜେନା ନୂଆବଜାର ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ଅନ୍ୟ ଜଣେ ବିଭାଗୀୟ କର୍ମଚାରୀଙ୍କ ସହ ଆସି ୪ ଲକ୍ଷ ଟଙ୍କା ଉଠାଇଥିଲେ । ପରେ ସେମାନେ ଏକ ମୋଟର ସାଇକେଲ୍ରେ ଆସୁଥିବାବେଳେ ପଣ୍ଡା ମେଡିସିନ୍ ଷ୍ଟୋର ନିକଟରେ ୨ ଜଣ ବାଇକ୍ ଲୁଟେରା ଆସି ପଛରୁ ଟଙ୍କା ଥିବା ବ୍ୟାଗ ନେଇ ପଳାଇଥିଲେ ।
ଏହି ଘଟଣାରେ ଶ୍ରୀ ଜେନା ସହରାଞ୍ଚଳ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଥାନାଧିକାରିଣୀ ସରୋଜିନୀ ସିଂ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।