ନର୍ସ ନିହାରିକାଙ୍କୁ ହତ୍ୟା ମାମଲା
ଥାନାରେ ଅଭିଯୁକ୍ତ ପ୍ରେମିକର ଆତ୍ମସମର୍ପଣ
ବାପା ମାଙ୍କ ଡ଼ିଏନଏ ଟେଷ୍ଟ ନିମନ୍ତେ ରକ୍ତ ନମୂନା ସଂଗ୍ରହ
ଜଗତସିଂହପୁର, ୨୦ ସେପ୍ଟେମ୍ବର – ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଏକ ବସ୍ତାରୁ ନର୍ସ ନିହାରିକା ପାତ୍ର (୨୪)ଙ୍କ ମୃତଦେହ ଉଦ୍ଧାର ଘଟଣାର ଦୁଇ ଦିନ ପରେ ଅଭିଯୁକ୍ତ ବୟଫ୍ରେଣ୍ଡ କିଶୋର ଆଂଚଲ ଓରଫ ରାଜା ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ।
ଆଜି ସେ ପୋଲିସ ନିକଟକୁ ଆସି ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ସେପଟେ ଡିଏନଏ ଟେଷ୍ଟ ନିମନ୍ତେ ଆଜି କଟକ ବଡ଼ ମେଡିକାଲରେ ନିହାରିକାଙ୍କ ବାପା ମାଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଛି । ହତ୍ୟାକାରୀ ପ୍ରମାଣ ନଷ୍ଟ ଉଦ୍ୟମ କରି ଶବର ମୁହଁକୁ ନଷ୍ଟ କରିଥିବାରୁ ଏହି ଡ଼ିଏନଏ ଟେଷ୍ଟ ରିପୋର୍ଟକୁ ଆଗକୁ ପୋଲିସ ବଳିଷ୍ଠ ପ୍ରମାଣ ଆଧାରରେ କୋର୍ଟରେ ଦାଖଲ କରିପାରେ । ନିହାରିକାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗ୍ରାମରେ । ସେ କଟକର ଏକ ଘରୋଇ ନର୍ସିିଂହୋମ୍ ରେ ନର୍ସ ଭାବେ କାର୍ଯ୍ୟରତ ଥିଲେ । ସେ ଗତ ୮ ତାରିଖ ଠାରୁ ନିଖୋଜ ଥିଲେ । ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରି ନିରାଶ ହୋଇ ଶେଷରେ ୯ ତାରିଖରେ ଝିଅ ନିଖୋଜ ନେଇ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଜାରୀ ରଖିଥିଲା ।
ଇତିମଧ୍ୟରେ ଗତ ୧୭ ତାରିଖ ଦିନ ବିଲୁଆଖାଇ ନଦୀ ପଠାରୁ ଏକ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ତାଙ୍କ ମୃତଦେହକୁ ବିରିଡ଼ି ପୋଲିସ ଉଦ୍ଧାର କରିଥିଲା । ଶବ ଚିହ୍ନଟ ପରେ ତାହା ନିହାରିକାଙ୍କ ଶବ ବୋଲି ସ୍ପଷ୍ଟ ହୋଇଥିଲା । ସେପଟେ ନର୍ସିଂହୋମ୍ ନିକଟ ସିସିଟିଭି ଫୁଟେଜ୍ ରୁ ଘଟଣା ଦିନ ରାଜା ତାଙ୍କୁ ବାଇକ୍ ଯୋଗେ କେଉଁଆଡେ ବୁଲାଇବାକୁ ନେଇଥିବା ଜଣାପଡିଥିଲା । ତା ପରଠାରୁ ରାଜା ନିଖୋଜ ଥିଲା । ଯାହାକୁ ନେଇ ଏହା ପ୍ରେମଜନିତ ହତ୍ୟାକାଣ୍ଡ ହୋଇଥିବା ନେଇ ପୋଲିସର ସନ୍ଦେହ ଦୃଢ଼ିଭୂତ ହୋଇଥିଲା । ପୋଲିସ ରାଜା ଉପରେ ସନ୍ଦେହ କରି ଖୋଳତାଡ଼ ଜାରୀ ରଖିଥିବା ବେଳେ ଆଜି ସେ ବିରିଡ଼ି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ଆତ୍ମସମର୍ପଣ ପରେ ଅଭିଯୁକ୍ତକୁ କୌଣସି ଅଜ୍ଞାତ ସ୍ଥାନକୁ ନେଇ ପୋଲିସ ପଚରା ଉଚୁରା ଚଳାଇଛି । ହତ୍ୟାକାଣ୍ଡରେ କେବଳ ସେ ଏକାକୀ କିମ୍ବା ଏଥିରେ ଅନ୍ୟ କାହାରି ସମ୍ପୃକ୍ତି ରହିଛି ବିରିଡ଼ି ପୋଲିସ ସେ ନେଇ ଛାନଭିନ୍ ଜାରୀ ରଖିଛି ।
ଅନ୍ୟପକ୍ଷରେ ମୃତ ନିହାରିକାଙ୍କ ବାପା ମାଆ କହିଛନ୍ତି ଯେ, ରାଜା ହିଁ ହତ୍ୟାକାରୀ । ଝିଅ ସହିତ ଗତ ଦୁଇ ବର୍ଷ ହେଲା ତାର ପ୍ରେମ ସମ୍ପର୍କ ରହିଥିଲା । ଏପରିକି ଉଭୟଙ୍କର ବିବାହ ମଧ୍ୟ ସ୍ଥିର ହୋଇଥିଲା । ସେ ତାଙ୍କ ଝିଅକୁ ମାରିଛି । ମାମଲାର ନିରପେକ୍ଷ ତଦନ୍ତ ସହ ହତ୍ୟାକାରୀକୁ ଫାଶି ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।