Connect with us

ଓଡିଶା

ନର୍ସିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ଼

ସାଙ୍କେତିକ

ନର୍ସିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ଼

ପୀଡ଼ିତାଙ୍କ ଚାଂଚଲ୍ୟକର ବୟାନ -ଲଳିତେନ୍ଦ୍ର ଶବର ହିଁ ଘଟଣାର ମୁଖ୍ୟ ଖଳନାୟକ

ଭବାନୀପାଟଣା, ୨୭ ସେପ୍ଟେମ୍ବର – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଂଚଳର ଜନୈକା ନର୍ସିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ୍ ମାମଲାରେ ୮ ଅଭିଯୁକ୍ତଙ୍କୁ ଗିରଫ କରି ଗତକାଲି ପୋଲିସ କୋର୍ଟଚାଲାଣ କରିଥିବା ବେଳେ ଆଜି ପୁଣି ଥରେ ଗଣମାଧ୍ୟମ ସାମ୍ନାରେ ପୀଡ଼ିତାଙ୍କ ଚାଂଚଲ୍ୟକର ବୟାନ୍ ସାମ୍ନାକୁ ଆସିଛି  । ଯାହାକି ପୋଲିସର ଭୂମିକାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି  ।

ପୀଡ଼ିତା କହିଛନ୍ତି ଯେ, ଗତ ୧୪ ତାରିଖ ଦିନ ମୁଁ ଭବାନୀପାଟଣାର ଏକ କ୍ଲିନିକ୍ କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଥିଲି  । ସେଠାରୁ ଫେରୁଥିବା ବେଳେ ବସଷ୍ଟାଣ୍ଡରେ ମୋର ସୁଭଦ୍ରା ବସ୍ ର ଡ୍ରାଇଭର ଲଳିତେନ୍ଦ୍ର ଶବର ସହିତ ଭେଟ ହୋଇଥିଲା  । ସେଠାରୁ ସେ ମୋତେ ବାଇକ୍ ରେ ଲିଫ୍ଟ ଦେଇଥିଲା  । ତା’ ସହିତ ସହିତ ଆସିବା ବେଳେ ବନମାଳିପୁର ନିକଟରେ ସେ ବାଇକ୍ ରଖି ଦେଇଥିଲା  । ସେଠାରୁ ୬ ଜଣ ଯୁବକ ଆସି ମୋତେ ଜୋରଜବରଦସ୍ତ ନିକଟସ୍ଥ ଜଙ୍ଗଲକୁ ଉଠାଇ ନେଇଥିଲେ  । ଅଭିଯୁକ୍ତ ମାନେ ଛୁରୀ ଦେଖାଇ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ  । ଲଳିତେନ୍ଦ୍ର ପ୍ରଥମେ ଦୁଷ୍କର୍ମ କରିଥିଲା  । ତା’ ପରେ ଅନ୍ୟ ମାନେ ମୋ ସହିତ ଦୁଷ୍କର୍ମ କରିଥିଲେ  । ମାମଲାରେ ଜଡ଼ିତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡାଦେଶ ପାଇଁ ସେ ଦାବି କରିଛନ୍ତି  । ଏଥିସହ ଲଳିତେନ୍ଦ୍ର ଶବର ହିଁ ଘଟଣାର ମୁଖ୍ୟ ଖଳନାୟକ  । ଯଦି ପୋଲିସ ତାକୁ ଛାଡିଦେବାକୁ ଉଦ୍ୟମ କରେ କିମ୍ବା ପ୍ରଶାସନ ପକ୍ଷରୁ ତା’ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ, ମୁଁ ଆତ୍ମହତ୍ୟା କରିବି ବୋଲି ପୀଡ଼ିତା ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି  । ମୁଁ ଜଣେ ଗରିବ ଘରର ଝିଅ  । ମୋତେ ନ୍ୟାୟ ମିଳୁ ବୋଲି ସେ ଦାବି କରିଛନ୍ତି  ।

ଅନ୍ୟପକ୍ଷରେ ଘଟଣାର ତଦନ୍ତ କରୁଥିବା ଜୁନାଗଡ଼ ଥାନା ଅଧିକାରୀ କହିଛନ୍ତି ଯେ, ଡ୍ରାଇଭର ଲଳିତେନ୍ଦ୍ର ଦୁଷ୍କର୍ମ କରିଥିବା କଥା ପୀଡ଼ିତା ତାଙ୍କ ଏତଲାରେ ଦର୍ଶାଇନଥିଲେ  । ଏପରିକି ବୟାନ ରେକର୍ଡ଼ କରିବା ସମୟରେ ମଧ୍ୟ କିଛି କହିନଥିଲେ  । ତେଣୁ ମାମଲାରେ ଲଳିତେନ୍ଦ୍ରକୁ ରାଜସାକ୍ଷୀ କରାଯାଇଥିଲା  । ପୀଡ଼ିତା ନିଜେ ଏ ପର୍ଯ୍ୟନ୍ତ ଏ ବିଷୟରେ ପୋଲିସକୁ କିଛି କହିନଥିବା ସେ କହିଛନ୍ତି  । ତେଣୁ ଅଭିଯୋଗର ସତ୍ୟାସତ୍ୟ ପରୀକ୍ଷା କରି ପୋଲିସ ପଦକ୍ଷେପ ଗ୍ରହଣ କରିବ ବୋଲି ସେ ସୂଚନା ଦେଇଛନ୍ତି  ।

ପ୍ରକାଶ ଥାଉ କି, ଗତକାଲି ଜୁନାଗଡ଼ ପୋଲିସ ମାମଲାରେ ଗିରଫ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା  । ଅନ୍ୟତମ ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ଼କୁ ହସ୍ତାନ୍ତର କରାଯାଇଥିଲା  ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା