
ଟ୍ରକ ଧକ୍କାରେ ଅଜଣା ବୃଦ୍ଧଙ୍କ ମୃତ୍ୟୁ
ଧର୍ମଶାଳା,୯ଜୁଲାଇ – ଯାଜପୁର ଜିଲା ବଡଚଣା ବ୍ଲକ ଚଣ୍ଡିଖୋଲସ୍ଥିତ ଟ୍ରାଫିକଛକରେ ପୁଣି ଦୁର୍ଘଟଣା । ଆଜି ଏକ ଟ୍ରକ ଧକ୍କାରେ ଜଣେ ଅଜଣା ଭିନ୍ନକ୍ଷମ ବୃଦ୍ଧଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ତାଙ୍କର ଆନୁମିକ ୭୦ବର୍ଷ ବୟସ ହେବ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଆଜି ଦିବା ୧୧ଘଟିକା ସମୟରେ ଜଣେ ଭିନ୍ନକ୍ଷମ ବୃଦ୍ଧ ଚଣ୍ଡିଖୋଲ ଟ୍ରାଫିକଛକ ପାରି ହେଉଥିବା ସମୟରେ କେନ୍ଦୁଝର ଜିଲାରୁ ଏକ ୧୦ ଚକିଆ ଟ୍ରକ(ଓଆର୦୪କେ୮୮୭୫) ଲୁହା ପଥର ବୋଝେଇ କରି ପାରାଦ୍ୱିପ ଆସୁଥିବା ବେଳେ ତାଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଯାହାକୁ ନେଇ କିଛି ସମୟ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ନାରାୟଣ ବେହେରା ଘଟଣାସ୍ଥଳରେ ପଂହଚି ଟ୍ରକକୁ ଜବତ କରିବା ସହ ମୃତ ଦେହକୁ ଉଦ୍ଧାର କରି ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ମୃତ ଦେହକୁ ବ୍ୟବଚ୍ଛେଦ ନିମେନ୍ତ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିବା ଜଣାପଡିଛି । ମୃତ ଜଣଙ୍କର ପରିଚୟ ମିଳି ପାରି ନାହିଁ ।
