Connect with us

ଓଡିଶା

କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ

ସାଙ୍କେତିକ

ପତ୍ନୀଙ୍କୁ ବିଭତ୍ସ ହତ୍ୟା
କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ
ଅଭିଯୁକ୍ତ ସ୍ୱାମୀ ଗିରଫ
ପୁରୀ, ୨୬ ଅଗଷ୍ଟ – ପରକୀୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ପିଟି ପିଟି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ସହ କଟୁରୀରେ ହାଣି ମୁଣ୍ଡରୁ ଗଣ୍ଡିକୁ ଅଲଗା କରିବା ଏବଂ କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କରିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରାଇବେରୁଆଁ ଗ୍ରାମରେ । ମୃତ ମହିଳାଙ୍କ ନାମ ଅନ୍ନପୂର୍ଣ୍ଣା ବେହେରା । ତାଙ୍କ ସ୍ୱାମୀଙ୍କ ନାମ ଗଣେଶ ବେହେରା ବୋଲି ଜଣାପଡିଛି । ମାମଲାରେ ଅସ୍ତରଙ୍ଗ ପୋଲିସ ଅଭିଯୁକ୍ତ ସ୍ୱାମୀ ଗଣେଶକୁ ଗିରଫ କରିଛି । ସୂଚନା ଅନୁଯାୟୀ, ଗଣେଶ ଚେନ୍ନାଇରେ ଏକ ଗ୍ରୋସରୀ ଦୋକାନରେ କାମ କରୁଥିଲେ । ଅନ୍ନପୂର୍ଣ୍ଣା ମଧ୍ୟ ସେଠାରେ ତାଙ୍କ ସହିତ ରହୁଥିଲେ । ତେବେ ପତ୍ନୀର ଅନ୍ୟ କାହା ସହିତ ଅବୈଧ ସମ୍ପର୍କ ଥିବା ଗଣେଶ ସନ୍ଦେହ କରୁଥିଲା । ୧୫ ଦିନ ତଳେ ଏହି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଗଣେଶ ତାଙ୍କ ମୁଣ୍ଡ ଫଟାଇ ଦେଇଥିଲା ଏବଂ ଗାଁକୁ ଚାଲି ଆସିଥିଲା । ଏହା ଜାଣିବା ପରେ ଅନ୍ନପୂର୍ଣ୍ଣାଙ୍କ ଭାଇ ଚେନ୍ନାଇ ଯାଇ ତାଙ୍କୁ ସାଙ୍ଗରେ ନେଇ ଆସିଥିଲେ । ଗତ ୨୦ ତାରିଖରେ ଦୁଇ ପରିବାର ବସି ସମସ୍ୟାର ଅପୋଷ ସମାଧାନ ହୋଇଥିଲା । ତେବେ ଗତକାଲି ରାତିରେ କୌଣସି କଥାକୁ ନେଇ ପୁଣି ଥରେ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମୟରେ ଗଣେଶ ଉତକ୍ଷିପ୍ତ ହୋଇ ଏକ ଶାବଳରେ ଅନ୍ନପୂର୍ଣ୍ଣାଙ୍କୁ ପିଟି ଚାଲିଥିଲେ । ଫଳରେ ସେ ଅଚେତ୍ ଅବସ୍ଥାରେ ତଳେ ପଡି ଯାଇଥିଲେ । ସାଇ ପଡ଼ିଶା ଲୋକେ ଏ ସମ୍ପର୍କରେ ଜାଣିବା ପରେ ଗୁରୁତର ଅନ୍ନପୂର୍ଣ୍ଣାଙ୍କୁ ଡାକ୍ତରଖାନା ନେବା ପାଇଁ ଏକାଠି ହୋଇଥିଲେ । ସେମାନେ ଆମ୍ବୁଲାନ୍ସକୁ ଡାକିବା ମଧ୍ୟରେ ଗଣେଶ ଏକ କଟୁରୀରେ ତାଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲା । ରାତି ପ୍ରାୟ ଗୋଟାଏ ସମୟରେ ଅଭିଯୁକ୍ତ ସ୍ୱାମୀ କଟାମୁଣ୍ଡ ଧରି ଅସ୍ତରଙ୍ଗ ଥାନାରେ ଆତ୍ମସମର୍ପଣ କରିଥିଲା । ପୋଲିସ ଅନ୍ନପୂର୍ଣ୍ଣାଙ୍କ କଟାମୁଣ୍ଡ ଓ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଘଟଣା ପରେ ଶାଶୂ, ଶ୍ୱଶୁର, ଦେଢ଼ଶୁର ଓ ଯାଆ ପ୍ରମୁଖ ଫେରାର୍ ହୋଇଯାଇଛନ୍ତି । ସେମାନେ ଅନ୍ନପୂର୍ଣ୍ଣାଙ୍କ ୧୯ ମାସର ପୁଅକୁ ସାଙ୍ଗରେ ନେଇ ଯାଇଛନ୍ତି । ଅସ୍ତରଙ୍ଗ ପୋଲିସ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାରେ ଅଭିଯୁକ୍ତ ସ୍ୱାମୀ ଗଣେଶକୁ ଗିରଫ କରିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା