ଅଶାଳୀନ ମନ୍ତବ୍ୟ ପାଇଁ ବିଧାୟକ ବିଷ୍ଣୁ ସେଠୀ କ୍ଷମା ପ୍ରାର୍ଥନା କରିବାକୁ ଦାବି କଲା କଂଗ୍ରେସ
– କ୍ଷମା ପ୍ରାର୍ଥନା କରନ୍ତୁ ନଚେତ ଧାରଣାରେ ବସିବ କଂଗ୍ରେସ
ଭୁୁବନେଶ୍ୱର, ୦୧ ଅଗଷ୍ଟ – ବିଧାନସଭା ଭଳି ପବିତ୍ର ଗୃହରେ ବିରୋଧି ଦଳ ଉପନେତା ତଥା ବିଧାୟକ ବିଷ୍ଣୁ ସେଠୀ ମୁସ୍ଲିମ ମହିଳାମାନଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟ ପାଇଁ ସମଗ୍ର ନାରୀଜାତିକୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି କଂଗ୍ରେସ । ବିଧାୟକ କ୍ଷମା ପ୍ରାର୍ଥନା ନକଲେ କଂଗ୍ରେସ ଧାରଣା ଦେବ ବୋଲି ଗୁରୁବାର ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ।
ଗୁରୁବାରପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବିଧାୟକ ସମଗ୍ର ଦେଶର ମୁସଲିମ୍ ମହିଳାମାନଙ୍କ ପ୍ରତି ଦେଇଥିବା ଅଶାଳୀନ ତଥା ଅରୁଚିକର ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିବା ସହିତ ସର୍ବ ସମ୍ମୁଖରେ କ୍ଷମା ମାଗିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ ଈଶ୍ୱର, ବିଜେପି ଓ ତାଙ୍କର ନେତାମାନଙ୍କୁ ସଦ୍ବୁଦ୍ଧି ପ୍ରଦାନ କରନ୍ତୁ, ଯଦ୍ୱାରା କି ଭାରତୀୟ ସଂସ୍କୃତିରେ ନାରୀମାନଙ୍କର ସମ୍ମାନ ଓ ଗାରିମାକୁ ଭୁଲୁଣ୍ଠିତ କରିବାକୁ ଦିଆନଯାଉ ।
ଗୁରୁବାର ଦିନ ବିଧାନ ସଭାରେ ଶୁନ୍ୟକାଳରେ ତିନି ତଲାକ ବିଲ୍ ଉପରେ ସରଗରମ ଆଲୋଚନା ଚାଲିଥିଲା ବେଳେ ଗୃହର ବିଧାୟକ ଶ୍ରୀ ସେଠୀ କହିଲେ ଯେ ତିନି ତଲାକ ପୀଡ଼ିତା ବହୁ ମୁସଲିମ ମହିଳାମାନେ ବମ୍ବେ, କଲିକତା, ଦିଲ୍ଲୀ ଏବଂ ଦେଶରେ ଅନ୍ୟ ସହରମାନେଙ୍କରେ ଦେହବ୍ୟବସାୟରେ ଲିପ୍ତ ରହୁଥିବାର ପ୍ରମାଣ ଅଛି । ଯେକୌଣସୀ ପରିପ୍ରେକ୍ଷୀରେ ନାରୀମାନଙ୍କ ଉଦ୍ଦେଶ୍ୟରେ ଏଭଳି ଅପଶବ୍ଦ ଓ ଅରୁଚିକର ମନ୍ତବ୍ୟ ସବୁବେଳେ ନିନ୍ଦନୀୟ । ଏହା ପୂର୍ବରୁ ବିଜେପି ଦଳର ନେତ୍ରୀ ତଥା ସାଧାରଣ ସଂପାଦିକା ଓଡିଶାର ମହିଳାମାନେ ସୁରଟ ସହରରେ ଦେହ ବେପାର କରନ୍ତି ବୋଲି ମଧ୍ୟ କହିଥିଲେ । ବିଜେପି ନେତାମାନେ ବାରମ୍ବାର ଭାରତୀୟ ନାରୀମାନଙ୍କ ଉଦ୍ଦେଶ୍ୟରେ ଏଭଳି ଅପମାନସୂଚକ ମନ୍ତବ୍ୟ ଦେଉଥିବା ବେଳେ ଦଳର ବରିଷ୍ଠ ନେତାମାନେ ନିରବ ରହିବା ନାରୀଜାତି ପ୍ରତି ଏ ଦଳର ଆଭିମୁଖ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । କିନ୍ତୁ ତାଙ୍କ ପ୍ରତି ଏଭଳି ଅରୁଚିକର ମନ୍ତବ୍ୟ ପ୍ରଦାନ କରି ବିଜେପି ନେତା ନିଜର ନୀଚ ମାନସିକତାର ପରିଚୟ ପ୍ରଦାନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ମିଡ଼ିଆସେଲ ମୁଖ୍ୟ ଶ୍ରୀ ସତ୍ୟପ୍ରକାଶ ନାୟକ, ମୁଖପାତ୍ର ରଜନୀ ମହାନ୍ତି, ପ୍ରଶାନ୍ତ ଶତପଥି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।